ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଶେଷ ହେଲା ସବୁ କଳ୍ପନା ଜଳ୍ପନା । ଦାମବାବୁଙ୍କ ନେଇ ନୂଆ ଦଳ ଗଠନ ପାଇଁ ହେଉଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସୂଚନା ଦେଇଛନ୍ତି ନିଜେ ଦାମୋଦର ରାଉତ । ବିଜୁ ପଟ୍ଟନାୟକଙ୍କ ନାଁରେ ଏହି ଏହି ଦଳ ଗଠନ ହୋଇଛି । ଦଳର ନାଁ ରହିଛି ବିଜୁ ସମତାକ୍ରାନ୍ତି ଦଳ । କଇଁଚି ଚିହ୍ନ ହେଉଛି ଦଳର ସଙ୍କେତ । ଯଜ୍ଞଶ୍ୱର ବାବୁ ଏବଂ ବ୍ରଜକିଶୋର ତ୍ରିପାଠୀଙ୍କ ଉପସ୍ଥିତିରେ ନୂଆ ଦଳ ଗଠନ କରାଯାଇଛି । ପୂର୍ବରୁ ଚର୍ଚ୍ଚା ହୋଇଥିବା କୈାଣସି ବି ଚିହ୍ନା ମୁହଁ ଦାମଙ୍କ ଦଳରେ ଯୋଗ ଦେଇନାହାଁନ୍ତି ।
ବିଜେଡିରୁ ତଡା ଖାଇଥିବା ବିଜୁ ପ୍ରେମୀଙ୍କୁ ନେଇ ନୂଆ ଦଳ ଗଠନ କରିବା ପାଇଁ ଆଗରୁ ସୂଚନା ଦେଇଥିଲେ ଦାମ । ବୈଜୟନ୍ତ ପଣ୍ଡା,ପ୍ରଫୁଲ୍ଲ ଘଡାଇ,ପଞ୍ଚାନନ କାନୁନଗୋଙ୍କ ଭଳି ବଡ ବଡ ନେତାଙ୍କୁ ନେଇ ଦଳ ଗଢ଼ିବା ପାଇଁ ସ୍ୱପ୍ନ ଦେଖିଥିଲେ ଦାମ । ସେପଟେ ବିଜେପିର ଦୁଇ ଟାଣୁଆ ନେତା ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ମଧ୍ୟ ଦାମଙ୍କ ଦଳରେ ମିଶିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ତେବେ ଏହି ବଡ ନେତାମାନେ ଯୋଗ ଦେଇନଥିଲେ ମଧ୍ୟ ନୂଆ ଆଞ୍ଚଳିକ ଦଳ ଘୋଷଣା କରି ୨୦୧୯ରେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ମିଳି ଯାଇଛି ନୂଆ ଠିକଣା ।
ସାଧାରଣ ନିର୍ବାଚନ ବେଳେ ଶାସକ ଦଳକୁ ଅଢ଼ୁଆରେ ପକାଇ ପାରେ ଏହି ଆଞ୍ଚଳିତ ଦଳ । କାରଣ ଏବେ ଦାମ ଓଡିଶାର କୋଣ ଅନୁକୋଣ ବୁଲି ନବୀନ ସରକାରଙ୍କ ବିରୋଧରେ ବହୁ ସଭାମାନ ଆୟୋଜନ କରୁଛନ୍ତି । ତେବେ ଏହାକୁ ନେଇ ବହୁ ରାଜନୀତି ବିଶାରଦମାନେ ଅନୁମାନ କରୁଛନ୍ତି ଆଗାମି ନିର୍ବାଚନରେ ବିଜେଡିକୁ ଅଢ଼ୁଆ ପକାଇପାରେ ଦାମଙ୍କ ଦଳ ।
ପୂର୍ବରୁ ବହୁ ରାଜନେତାମାନେ ବିଜେଡିରୁ ତଡା ଖାଇଥିଲେ ମଧ୍ୟ ଦଳକୁ କୈାଣସି ପ୍ରଭାବ ପଡିନାହିଁ । ଓଡିଶା ରାଜନୀତିର ଚାଣକ୍ୟ ବୋଲାଉଥିବା ସ୍ୱର୍ଗତ ପ୍ୟାରିମୋହନ ମହାପାତ୍ର ଦଳରୁ ତଡା ଖାଇ ନୂଆ ଦଳ ଗଠନ କରିବା ବେଳେ ଏଭଳି ପ୍ରଚାର ହୋଇଥିଲେ ମଧ୍ୟ ୨୦୧୪ ନିର୍ବାଚନରେ ଖାତା ଖୋଲିପାରିନଥିଲା ଦଳ ।