ସୁନ୍ଦରଗଡ (ଏଟିଆର ବ୍ୟୁରୋ): ନିର୍ବାଚନ ମଇଦାନରେ ଏଥରକ କଡା ଟକ୍କର ଦେଖିବାକୁ ମିଳିବ । କାରଣ ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ ଏବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଗତ କିଛି ଦିନ ପୂର୍ବରୁ ହେମାନନ୍ଦଙ୍କ ବଡ ଝିଅ ସୁନିତା ବିଶ୍ୱାଳ ରାଜନୀତିରେ ପାଦ ଥାପିବା ସହ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଏହାସହିତ ଦଳ ପକ୍ଷରୁ ସୁନିତାଙ୍କୁ ସୁନ୍ଦରଗଡ(ସଂରକ୍ଷିତ) ଆସନରୁ ଲଢିବା ପାଇଁ ଟିକେଟ ମିଳିଛି ।
ଏବେ ପୁଣି ହେମାନନ୍ଦଙ୍କ ସାନ ଝିଅ ଅମିତା ବିଶ୍ୱାଳ ନିର୍ବାଚନୀ ମଇଦାନକୁ ଏଣ୍ଟ୍ରି କରିଛନ୍ତି । ସେ କଂଗ୍ରେସ ଦଳ ପକ୍ଷରୁ ସୁନ୍ଦରଗଡ (ସଂରକ୍ଷିତ) ଆସନରୁ ନିର୍ବାଚନ ଲଢିବେ । ସବୁଠୁ ରୋଚକ କଥା ହେଉଛି ଗୋଟିଏ ନିର୍ବଚନ ମଣ୍ଡଳୀରୁ ଦୁଇ ଭଉଣୀଙ୍କ ଜବରଦସ୍ତ ଲଢେଇ ଦେଖିବାକୁ ମିଳିବ । ମାତ୍ର ଦୁଇ ଭଉଣୀ ବିପରୀତ ଦଳ ପକ୍ଷରୁ ଲଢୁ ଥିବାରୁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବଡ ଓ ସାନ ଭଉଣୀ ମଧ୍ୟରେ ନିର୍ବାଚନରେ କିଏ ବାଜି ମାରିବ ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଖବରମୁତାବକ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ ୨୦୦୯ରେ ସୁନ୍ଦରଗଡ ସଂରକ୍ଷିତ ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ତା ପରେ ସେ ୨୦୧୪ରେ ପୁନର୍ବାର ସୁନ୍ଦରଗଡ ଆସନରୁ ପାର୍ଥୀ ହୋଇ ପରାଜିତ ହୋଇଥିଲେ ।