ଜଗତସିଂହପୁର (ଏଟିଆର ବ୍ୟୁରୋ); ପୁଣି ପଦାରେ ପଡିଲା ବିଜେଡି ବିବାଦ । ଜଗତସିଂହପୁର ନାଉଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି । ନବନିର୍ବାଚିତ ଜଗତସିଂହପୁର ବିଧାୟକ ପ୍ରସାନ୍ତ ମୁଦୁଲି ଏବଂ ସାଂସଦ ରାଜଶ୍ରୀ ମଲ୍ଲିକଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ନାଉଁଗାରେ ଏକ ସଭାର ଆୟୋଜନ କରାଯାଇଥିଲା । ସଭାରେ ସଭାପତିତ୍ୱକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲେ । ପରେ ବୁଝାବୁଝି କରିବା ପରେ ସଭା ଚାଲୁ ହୋଇଥିଲେ । ତେବେ ଏଥିରୁ ସ୍ପଷ୍ଠ ଜଣା ପଡୁଛି କି ଦଳରେ ଏବେ ମଧ୍ୟ ବହୁତ ଫାଟ ରହିଛି । ଯାହାକି ବାହାରକୁ ଜଣା ପଡୁନାହିଁ ।
ପ୍ରସାନ୍ତ ମୁଦୁଲି ଏବଂ ରାଜଶ୍ରୀ ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଆୟୋଜନ କରାଯାଇଥିବା ସଭାରେ ନାଉଗାଁ ବ୍ଳକର ୧୬ ପଞ୍ଚାୟତର ସମିତି ସଭ୍ୟ ଏବଂ ସରପଞ୍ଚ ଉପସ୍ଥିତ ଥିଲେ । ସଭା ଆରମ୍ଭ ହୋଇଥିଲା । ତେବେ ଏହି ସଭାର ସଭାପତିତ୍ୱ କରିଥିଲେ ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ । ଯାହାକୁ ନେଇ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । ବ୍ଳକ ବିଜେଡି ସଭାପତି ସୁଜିତ ମଲ୍ଲିକ ଏବଂ ତାଙ୍କ ସମର୍ଥକମାନେ ଏହାକୁ ବିରୋଧ କରିଥିଲେ ।
ଗତକାଲି ଆୟୋଜିତ ହୋଇଥିବା ସଭାରେ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ଉପସ୍ଥିତ ନଥିଲେ । ଏଣୁ ଶୁଣିବାକୁ ମିଳୁଛି କି ତାଙ୍କ ଏହି ସଭାରେ ଡକାଯାଇନଥିଲା । ସୂଚନାଯୋଗ୍ୟ,ଜଗତସିଂହପୁର ଆସନ ପାଇଁ ବିଜେଡି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅମରେନ୍ଦ୍ରଙ୍କ ନାମ ଆଗରେ ରହିଥିଲା । ବାଲିକୁଦା ବିଧାୟକ ପ୍ରସାନ୍ତ ମୁଦୁଲିଙ୍କୁ ଟିକେଟ ମିଳିବା ପରେ ବିଜେଡି କଳି ପଦାରେ ପଡିଥିଲା । ତେବେ ଯଦିଓ ପରବର୍ତ୍ତୀ ସମୟରେ ଅମରେନ୍ଦ୍ର ଚୁପ ରହିଥିଲେ । କିନ୍ତୁ ମନରେ ରାଗ ଏବେ ପର୍ଯ୍ୟନ୍ତ ରହିଥିବା ଶୁଣିବାକୁ ମିଳୁଛି ।