ଭୁବନେଶ୍ୱର (ଏଟିଆର ବ୍ୟୁରୋ); କାକଟପୁରରେ ବିଜେଡିକୁ ଶକ୍ତ ଝଟକା । ଦଳକୁ ବାଏ ବାଏ କଲେ ପୂର୍ବତନ ବିଧାୟକ ରବି ମଲ୍ଲିକ । ଆଜି ବିଜେଡି ସୁପ୍ରିମୋଙ୍କୁ ଭେଟି ଇସ୍ତଫା ଦେଇଛନ୍ତି । ଦଳ ତାଙ୍କ ପ୍ରତି ଅବିଚାର କରିଥିବା ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ରବି । ସେ ବିଜେଡିରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି । ବିଜେପି ପକ୍ଷରୁ କାକଟପୁର ଆସନରୁ ମଧ୍ୟ ନିର୍ବାନ ଲଢ଼ିବେ ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି ।
୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କାକଟପୁର ଆସନରେ ବିଜେଡି ପକ୍ଷରୁ ବିଧାୟକ ହୋଇଥିଲେ ରବି ମଲ୍ଲିକ । ତେବେ ୨୦୧୪ରେ ତାଙ୍କ ଟିକେଟ କଟିବା ପରେ ମଧ୍ୟ ସେ ଦଳରେ ଜଣେ ସକ୍ରିୟ କର୍ମୀ ଭାବରେ କାମ କରି ଆସୁଥିଲେ । ସେ ଯୋଜନା ବୋର୍ଡର ସଦସ୍ୟ ଭାବରେ ମଧ୍ୟ କାମ କରୁଥିଲେ । କିନ୍ତୁ ଦଳ ତାଙ୍କ ପ୍ରତି ଅବିଚାର କରିଥିବାରୁ ଶେଷରେ ବାଧ୍ୟ ହୋଇ ଦଳ ଛାଡିଛନ୍ତି । ତେବେ ସେ ଦଳରୁ ଇସ୍ତଫା ଦେବା ପରେ ଦଳକୁ ଲାଗିଛି ଶକ୍ତ ଝଟକା । ରବିଙ୍କ ନିର୍ବାଚନ ମଣ୍ଡଳୀରେ କିଛି ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ଯାହାକି ବିଜେଡି ପାଇଁ ଅଡୁଆ ହୋଇପାରେ । ତେବେ ସେ ଯଦି ବିଜେପିରେ ଯୋଗ ଦେବେ ସେଇ ଭୋଟ ବିଜେପି ଖାତାରେ ଯୋଡି ହେବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଆଗାମି ଦିନରେ କାକଟପୁରବାସୀ କାହାକୁ ସମର୍ଥନ ଜଣାଉଛନ୍ତି ତାହା ଦେଖିବା ପାଇଁ ବାକି ରହିଲା ।