ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେନ୍ଦ୍ର ଏବଂ ରାଜ୍ୟରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରୁଥିିବା ବେଳେ କଂଗ୍ରେସରୁ ବରିଷ୍ଠ ନେତା ସୁର ରାଉତରାୟ ବିଜୟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନ ମଣ୍ଡଳୀରେ ତାଙ୍କ ବିଶାଳ ବିଜୟ ହୋଇଛି । ସେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ବିଭୂତି ବଳବନ୍ତରାୟଙ୍କୁ ୭୪୮୬ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସୁରଙ୍କ ବିଜୟ ଦଳ ପାଇଁ ବଡ ବିଜୟ ।
ଏହି ନିର୍ବାଚନ ସୁରଙ୍କ ଶେଷ ଲଢ଼େଇ ବୋଲି ସେ ପୂର୍ବରୁ ସୂଚନା ଦେଇଥିଲେ । ତେବେ ତାଙ୍କ ଶେଷ ଲଢ଼େଇରେ ଜଟଣୀବାସୀ ତାଙ୍କୁ ବିଜୟ ଉପହାର ଦେଇଛନ୍ତି । ସାରା ଦେଶ ଏବଂ ରାଜ୍ୟରେ ଲୋକ କଂଗ୍ରେସକୁ ମୁହଁ ମୋଡିଥିବା ବେଳେ ଜଟଣୀବାସୀ ନିଜର ପ୍ରିୟ ନେତା ସୁର ରାଉତରାୟଙ୍କୁ ବାଛିଛନ୍ତି । ସବୁବେଳେ ମଜାଦାର କଥା କହୁଥିବା ସୁର ଭାଇ ଶେଷରେ ଜଟଣୀବାସୀଙ୍କ ମନ ଜିଣିନେଇଛନ୍ତି । ଯାହାର ଫଳ ସ୍ୱରୂପ ଜଟଣୀବାସୀ ତାଙ୍କୁ ଜିତାଇଛନ୍ତିି ।
୨୦୦୦ ମସିହାଠାରୁ ବିଧାନସଭା ମାଡିନାହାଁନ୍ତି ସୁର । ଦୀର୍ଘ ୧୯ ବର୍ଷପରେ ପୁଣିଥରେ ବିଧାନସଭା ଯିବେ । ରାଜନୀତି କ୍ୟାରିୟର ଭିତରେ ସେ ୧୦ଥର ନିର୍ବାଚନ ଲଢ଼ିଛନ୍ତି । ୬ଥର ବିଜୟ ହୋଇଥିବା ବେଳେ ୪ଥର ପରାଜୟକୁ ବରଣ କରିଛନ୍ତି । ବିଜୟ ହେଉ ବା ପରାଜୟ ସବୁବେଳେ କଂଗ୍ରେସ ସାଥିରେ ରହିଛନ୍ତି ସୁର । ଜଣେ ସ୍ୱାଭିମାନୀ ନେତାଭାବରେ ମଧ୍ୟ ସେ ବେଶ ପରିଚିତ । ସ୍ୱାର୍ଥ ପାଇଁ ଅନେକ ନେତା ଦଳ ଛାଡୁଥିବା ବେଳେ ସୁର ଶେଷ ପର୍ଯ୍ୟନ୍ତ କଂଗ୍ରେସ ସହ ରହିଆସିଛନ୍ତି ।
କଂଗ୍ରେସ ସରକାର ସମୟରେ ସୁର ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ପଦରେ ମଧ୍ୟ ରହିଥିଲେ । ଅବକାରୀ ବିଭାଗ ଭଳି ବଡ ପଦରେ ରହିଥିଲେ । ସୁରଙ୍କ ମଜାଳିଆ କଥା ଓଡିଶାବାସୀଙ୍କ ମନରେ ସବୁବେଳେ ରହିଥାଏ । ଭୁବନେଶ୍ୱରରେ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ତାଙ୍କର ହାତ ରହିଥିବାର ନଜିର ରହିଛି । ଆସନ୍ତା ନିର୍ବାଚନ ବେଳକୁ ସେ ଭଲ୍ୟୁଣ୍ଟାରୀ ରିଟାର୍ଡ ନେବେ ବୋଲି ମଧ୍ୟ ସୂଚନା ଦେଇସାରିଛନ୍ତି ।