କଳାହାଣ୍ଡି (ଏଟିଆର ବ୍ୟୁରୋ); ରାଜ୍ୟରେ ମୋଦି ଲହର କାମ ଦେଇଛି । ବିଜେପିର ସମ୍ମାନ ରଖିଲେ ରାଜ୍ୟ ସଭାପତି ବସନ୍ତ ପଣ୍ଡା । ପ୍ରଥମଥର ଲାଗି କଳାହାଣ୍ଡି ଲୋକସଭାରୁ ନିର୍ବାଚନ ଲଢ଼ିଥିଲେ । ଏବଂ ପ୍ରଥମ ପାଳିରେ ହିଁ ପାସ କରିଛନ୍ତି ବସନ୍ତ । ଦୁଇ ପ୍ରମୁଖ ବିରୋଧୀ ନେତା କଂଗ୍ରେସର ଭକ୍ତ ଚରଣ ଦାସ ଏବଂ ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓ ପରାଜୟ ବରଣ କରିଛନ୍ତି ।
ତିନି ନେତାଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହୋଇଥିଲା । ଯାହାର ଝଲକ ଦେଖିବାକୁ ମିଳିଥିଲା ଭୋଟ ଗଣତି ବେଳେ । କଂଗ୍ରେସ ନେତା ଭକ୍ତ ଚରଣ ଦାସ ଏହି ଆସନରେ ୨୦୦୯ରେ ବିଜୟ ହୋଇଥିବା ବେଳେ ପୁଷ୍ପେନ୍ଦ୍ର ସିଂହଦେଓ ବିଜେଡିର ଜଣେ ହେବିୱେଟ ନେତା । ସେ ରାଜ ପରିବାର ହୋଇଥିଲେ ସୁଦ୍ଧା ଏଠାରେ କୌଣସି ପ୍ରଭାବ ପଡିନଥିଲା । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଲୋକ ପ୍ରିୟତା ଏବଂ ମୋଦି ଲହର ଆଗରେ ସବୁକିଛି ଫିକା ପଡିଥିଲା ।
ବିଜେଡି ସଭାପତି ନବୀନ ଦୁଇଟି ଆସନରେ ବିଜୟ ହୋଇଥିବା ବେଳେ ପିସିସି ସଭାପତି ଦୁଇଟି ଆସନରେ ପରାଜୟ ହୋଇଥିଲେ । କିନ୍ତୁ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କଳାହାଣ୍ଡି ଲୋକସଭା ଆସନରେ ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି । ଦଳ ସଭାପତିଙ୍କ ବିଜୟ ବିଜେପି ପାଇଁ ସମ୍ମାନର କଥା । ଚଳିତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି । ୨୧ ଲୋକସଭା ଆସନ ମଧ୍ୟରୁ ୮ଟି ଅକ୍ତିଆର କରିବାରେ ସକ୍ଷମ ହୋଇଛି ।