କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଚଳିତ ନିର୍ବାଚନରେ ନବରଙ୍ଗପୁର ଲୋକସଭା ଆସନରେରେ ତିନିଜଣ ମାଝୀଙ୍କ ମଧ୍ୟରେ ଲଢ଼େଇ ହେଉଥିବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ କେନ୍ଦ୍ରାପଡାରେ ଦେଖିବାକୁ ମିଳିବ ବେହେରା ଲଢ଼େଇ । ବିଜୁବାବୁଙ୍କ ନିର୍ବାଚନ ମଣ୍ଡଳୀ ଉପରେ ସବୁବେଳେ ରାଜ୍ୟବାସୀଙ୍କ ନଜର ରହିଥାଏ । ଏଣୁ ଏଥରକ ଏହି ନିର୍ବାଚନ ମଣ୍ଡଳୀରେ ସବୁ ଦଳ ବେହେରାଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ପୂର୍ବରୁ କଂଗ୍ରେସ ଏବଂ ବିଜେପି ନିଜର ଦୁଇ ବେହେରା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଗତକାଲି ବିଜେଡି ମଧ୍ୟ ଦୁଇ ବେହେରାଙ୍କୁ ଟାର୍ଗେଟ ଦେବା ପ୍ରାର୍ଥୀ ଘୋଷଣା କରିଛି ।
ସୂଚନା ଯୋଗ୍ୟ, କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ କଂଗ୍ରେସ ଗଣେଶ୍ୱର ବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ସୁନାକର ବେହେରାଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ଅପରପକ୍ଷରେ ଏମାନଙ୍କୁ ଟକ୍କର ଦେବା ପାଇଁ ଗତକାଲି ବିଜେଡି ଶେଷ ପ୍ରାର୍ଥୀ ଭାବରେ ଶଶୀଭୂଷଣ ବେହେରାଙ୍କ ନାମ ଘୋଷଣା କରିଛି । ଶେଷରେ ଏଠାରେ ବିଜେଡି ଟିକେଟ ପାଇଁ ୂଆଶାୟୀ ଥିବା ପ୍ରାର୍ଥୀମାନେ ଘରେ ମୁହଁ ମାଡି ପଡିଛନ୍ତି । ରାତି ଅନିଦ୍ରା ହୋଇ ସଂଗଠନ କରିଥିଲେ ସୁଦ୍ଧା ଭୁବନେଶ୍ୱର ଜୟଦେବ ନିର୍ବାଚନ ମଣ୍ଡଳୀରୁ ଆସି କେନ୍ଦ୍ରାପଡା ଟିକେଟ ହାତେଇବା ପରେ ଆଶାୟୀଙ୍କୁ ମୁଗୁରା ପଛପଟ ମେଲା ହେଲା ଭଳି ମନେ ହେଉଛି ବୋଲି ଚର୍ଚ୍ଚା ହେଉଛି ।
ବିଜେପି ଏବଂ କଂଗ୍ରେସ ଘୋଷଣା କରିଥିବା ଦୁଇ ପ୍ରାର୍ଥୀ ପୂର୍ବରୁ କେନ୍ଦ୍ରାପଡାରେ ସଂଗଠନ କରି ଆସିଛନ୍ତି । କିନ୍ତୁ ଶଶୀଙ୍କ ନାମ କେବେ ମଧ୍ୟ ଚର୍ଚ୍ଚା ହୋଇନଥିଲା । ତେବେ ସେ ଟିକେଟ ପାଇବା ପରେ କେନ୍ଦ୍ରାପଡା ବିଜେଡିରେ ଫାଟ ହେବ ବୋଲି ଚର୍ଚ୍ଚା ହେଉଛି । ଯଦିଓ କେନ୍ଦ୍ରାପଡା ଆସନ ପାଇଁ ଶଶୀ ପ୍ରାର୍ଥୀ କିନ୍ତୁ ଏଠାରେ ତାଙ୍କ ଶ୍ୱଶୂର ଘର ହୋଇଥିବାରୁ ଜ୍ୱାଇଁ ପୁଅଙ୍କ ଭରଷାରେ ଜନତା ଭୋଟ ଦେବେ ବୋଲି ଆଶା ରଖି ବିଜେଡି ଟିକେଟ ଦେଇଛି ।
ଅପରପକ୍ଷରେ ଚା ଖଟିରେ ଚର୍ଚ୍ଚା ହେଉଛି କି ଆଶା କରିନଥିବା ପ୍ରାର୍ଥୀଙ୍କୁ ଶ୍ୱଶୁରଘର ଆସନରେ ଟିକେଟ ମିଳିଥିବାରୁ ଶଳା ବିଧା ଖାଇ ଘରକୁ ଯାଇ ପାରନ୍ତି ଶଶୀ । କାରଣ ଏଠାରେ ପୂର୍ବରୁ ବହୁ ନେତା ସଂଗଠନ କରିଥିଲେ । କିନ୍ତୁ ଟିକେଟ ନମିଳିବା ପରେ ସେମାନେ ଦଳରେ ଗୋଳିଆ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅପରପକ୍ଷରେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ କେନ୍ଦ୍ରାପଡା ରାଜନୀତି ଉପରେ ସମସ୍ତଙ୍କ ନଜର ରହିଛି ।