କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ତିନିଜଣ ବେହେରା କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ତେବେ ଏଠାରେ ଜନତା କାହା ଉପରେ ଭରଷା କରିବେ ତାଉପରେ ସମସ୍ତଙ୍କ ନଜର । ତିନି ପ୍ରମୁଖ ରାଜନୈତିକ ଦଳ ଏଠାରେ ପ୍ରଚାରକୁ ଜୋରସୋର କରୁଛନ୍ତି । ଆଜି ସରୁଛି ଶେଷ ପ୍ରଚାର । ଏଠାରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ସୁନାକର ବେହେରା । ବିଜେଡି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ଦୁଇ ବିରୋଧୀଙ୍କୁ କଡା ଟକ୍କର ଦେବା ପାଇଁ କଂଗ୍ରେସ ବରିଷ୍ଟ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କୁ ମଇଦାନକୁ ପଠାଇଛି ।
ଗଣେଷ ଏବଂ ସୁନାକର କେନ୍ଦ୍ରାପଡା ପାଇଁ ପୁରୁଣା ପ୍ରାର୍ଥୀ । ପ୍ରଥମଥର ଲାଗି ଏଠାରେ ଶଶି ନିର୍ବାଚନ ଲଢ଼ିବା ପାଇଁ ଯାଉଛନ୍ତି । ତେବେ ତାଙ୍କ ଶ୍ୱଶୁରଘର କେନ୍ଦ୍ରାପଡାରେ । ଶ୍ୱଶୁର ଘର ଅଞ୍ଚଳରେ ଜ୍ୱାଇଁପୁଅ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ସେ ରାଜ୍ୟ ସରକାରଭ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନାକୁ ମୁଖ୍ୟମୁଦ୍ଦା କରି ପ୍ରଚାର ଚଳାଇଛନ୍ତି । ପୂର୍ବରୁ ଏହି ଆସନ ମଧ୍ୟ ବିଜେଡି ହାତରେ ରହିଆସିଛି । କିନ୍ତୁ ନୂଆ ପ୍ରାର୍ଥୀ ହୋଇଥିବାରୁ ଟିକେ ଅଗ୍ନି ପରୀକ୍ଷା ସଦୃଶ ରହିଛି ବିଜେଡି ପାଇଁ ।
ଗଣେଶ୍ୱର ବେହେରାଙ୍କ ଦବଦବା ମଧ୍ୟ ନିର୍ବାଚନ ମଣ୍ଡଳୀରେ ରହିଛି । କଂଗ୍ରେସର ଜଣେ ହେବିୱେଟ ଏବଂ ପୂର୍ବତନ ମନ୍ତ୍ରୀ ହୋଇଥିବାରୁ ଭୋଟର ତାଙ୍କ ପ୍ରତି ଆକୃଷ୍ଟ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଅପରପକ୍ଷରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ସୁନାକର ବେହେରା ଗତବର୍ଷ ନିର୍ବାଚନରେ ମାତ୍ର ୭% ଭୋଟ ପାଇଥିଲେ । କିନ୍ତୁ ଏଥରକ ମୋଦି ଏବଂ ବୈଜୟନ୍ତଙ୍କ ହାୱାରେ ତାଙ୍କ ଭୋଟ ବଢ଼ିପାରେ ବୋଲି ଶୁଣିବାକୁ ମିଳୁଛି । ତେବେ ତିନି ହେବିୱେଟ ଏଠାରେ ଆସନ୍ତା ୨୯ ତାରିଖରେ ନିଜର ଭାଗ୍ୟ ପରକ୍ଷିବା ପାଇଁ ଯାଉଛନ୍ତି । ତେବେ ଏଠାରେ ଦୁଇ ବେହେରା ଦୀର୍ଘଦିନ ରହି ଆସିଥିବା ବେଳେ ବିଜେଡିର ଶଶୀ ବେହେରା ଏକାମ୍ର ଭୁବନେଶ୍ୱରରୁ ଆସିଛନ୍ତି । ଏଣୁ କେନ୍ଦ୍ରାପଡା ଜନତା କେଉଁ ବେହେରାଙ୍କୁ ବାଛୁଛନ୍ତି ମେ’୨୩ରେ ଜଣାପଡିବ ।