କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ଆଜି ନିର୍ବାଚନ ପ୍ରଚାରର ଶେଷ ଦିନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡାରେ ରୋଡ ସୋ କରିଛନ୍ତି । ଗତକାଲି ମଧ୍ୟ କେନ୍ଦ୍ରାପଡାରେ ରୋଡ ସୋ କରିଥିଲେ ନବୀନ । ସେଠାରେ ଗତକାଲି ରାତ୍ରିଯାପନ କରି ଆଜି ପୁଣି ରୋଡ ସୋ ଆରମ୍ବ କରିଛନ୍ତି । ଶେଷ ଦିନରେ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରୁଛନ୍ତି । ଆଜି ସକାଳ ପାଖାପାଖି ୯. ୩୦ ସୁଦ୍ଧା ସେ ଗେଷ୍ଟ ହାଉସରୁ ବାହାରି ପ୍ରଚାରରେ ଯୋଗଦେଇଥିଲେ । ଏବଂ ତିନି ମୁହାଣୀରେ ହୋଇଥିବା ଏକ ନିର୍ବାଚନୀ ସଭାରେ ଦଳୀୟ ପ୍ରାଥୀଙ୍କ ପାଇଁ ଭୋଟ ମାଗିଥିଲେ ।
ଆଜି ପଟ୍ଟାମୁଣ୍ଡାଇ ଆଳି ସମେତ ରାଜକନିକାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଆଜି ନିର୍ବାଚନ ପ୍ରଚାର ପାଇଁ ରହିଛି ଶେଷ ଦିନରେ ପ୍ରଚାର ପାଇଁ ଶେଷ ସମୟ ସନ୍ଧ୍ୟା ୫ ରହିଛି । ତେବେ ଗତକାଲି ନବୀନ ଜଗତସିଂହପୁର ଓ କେନ୍ଦ୍ରାପଡାରେ ପ୍ରଚାର କରିଥିଲେ । ସବୁଥରକ ପରି ସେଠାରେ ମଧ୍ୟ ସେ ବିଜେପିକୁ କଡା ସମାଲୋଚନା କରିଥିଲେ । ତେବେ ବର୍ତ୍ତମାନ ରାଜ୍ୟ ରାଜନୀତିର ପୁରା ନଜର କେନ୍ଦ୍ରାପଡା ଲୋକସଭା ଆସନ ଉପରେ ରହିଥିବାରୁ କେନ୍ଦ୍ରାପଡାରେ ନବୀନଙ୍କ ଦୁଇ ଦିନିଆ ମାରାଥନ ପ୍ରଚାର ରାଜନୀତି ପାଣି ପାଗକୁ ଆହୁରି ସରଗରମ କରିଛି । ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଗତ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ମଧ୍ୟ କେନ୍ଦ୍ରାପଡା ଗସ୍ତରେ ଆସିଥିଲେ ।