କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରି ଚର୍ଚ୍ଚାରେ ରହିଥାନ୍ତି ମୁଖ୍ୟମନ୍ତ୍ରୀ । ସେ ରାତିରେ ଆହାର ହେଉ ବା କାଳିଆ । ଏବେ ମହିଳାଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ନିର୍ବାଚନରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବା ସହିତ ୩୩ ପ୍ରତିଶତ ମହିଳା ସଂସଦକୁ ଯିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏବଂ ଆସନ୍ତା ନିର୍ବାଚନରେ ବିଜେଡି ଏକ ତୃତୀୟାଂଶ ମହିଳାଙ୍କୁ ପ୍ରାର୍ଥୀ କରିବ । ଆଜି କେନ୍ଦ୍ରାପଡା ଜିଲ୍ଲାରେ ଆୟୋଜିତ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି ।
ରବିବାର କେନ୍ଦ୍ରାପଡା ସିଦ୍ଧମଠ ପଡିଆରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଠାରେ ପ୍ରାୟ ୧ ଲକ୍ଷରୁ ଉଦ୍ଧ୍ୱ ମହିଳା ଯୋଗ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଳକ ଏବଂ କଟକ ଜିଲ୍ଲାର ୪ଟି ବ୍ଳକର ମହିଳା ଏଠାରେ ଯୋଗ ଦେଇଥିଲେ । କାର୍ୟ୍ୟକ୍ରମରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ପ୍ରାୟ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ବେଶ ପ୍ରଂଶସା କରିଛନ୍ତି ବହୁ ସାଧାରଣ ଜନତା । ତେବେ ଏହି ଘୋଷଣା ପରେ ବହୁ ତୁଙ୍ଗ ନେତାଙ୍କ ଟିକେଟ ମଧ୍ୟ କଟିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ପାୱାର କରିଡରର ନେତାଙ୍କୁ ଛାଡିଦେଲେ ବାକି ନେତାଙ୍କ ଟିକେଟ କଟିପାରେ । ତେବେ ସେ ଯାହାବି ହେଉ ନିର୍ବାଚନୀ ହାୱା କେଉଁଆଡେ କେମିତି ବହୁଛି ଏବଂ କାହା ଉପରେ ଏହାର ପ୍ରଭାବ ପଡୁଛି ।