ଭୁବନେଶ୍ୱର (ଏଟିଆର ବ୍ୟୁରୋ); ହାତ ଗଣତି କେତେଜଣ ସମର୍ଥକଙ୍କୁ ଧରି କିଛି ଦିନ ହେବ ରାଜଧାନୀରେ ପୁଣିଥରେ ବିଜେଡି ଟିକେଟ ଆଶାରେ ଡେରା ପକାଇଥିବା ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଏଥର ଦଳୀୟ ଟିକେଟ ମିଳିନାହିଁ । ପୂଣ୍ଣଚନ୍ଦ୍ର ନାୟକଙ୍କ ସ୍ଥାନରେ ଏଥର ଦଶପଲ୍ଲାରେ ନୂଆ ମୁହଁ ଦେଖିବାକୁ ପାଇବେ ବିଜେଡି କର୍ମୀ । ସରକାରୀ ଚାକିରୀ ଛାଡି ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ସୁଦୃଢ଼ କରିଥିବା ରମେଶ ବେହେରାଙ୍କ ଉପରେ ବିଜେଡି ଭରଷା କରି ଟିକେଟ ଦେଇଛି । ଅପରପକ୍ଷରେ ୨୦୧୪ରେ ବିଜେଡି ଟିକେଟରେ ବାଜି ମାରିଥିବା ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ହତାଶ ହେବାକୁ ପଡିଛି । ଟିକେଟ ନମିଳିବା ପରେ ସେ ବିଜେପି ମୁହାଁ ହେବେ ବୋଲି ବିଧାୟକଙ୍କ ନିକଟତମ ସମର୍ଥକମାନେ ସୂଚନା ଦେଇଛନ୍ତି ।
ସରକାରୀ ଚାକିରୀ ଛାଡି ନିଜ ଅଞ୍ଚଳ ପାଇଁ କିଛି କରି ଦେଖାଇବା ପାଇଁ ଜନସେବା ଆରମ୍ଭ କରିଥିବା ରମେଶ ବେହେରାଙ୍କ ଉପରେ ବିଜେଡି ଭରଷା ରଖି ଦଳୀୟ ଟିକେଟ ଦେଇଛି । ନିର୍ବାଚନ ମଣ୍ଡଳୀରେ ବେହେରାଙ୍କ ଲୋକପ୍ରିୟତା ବଢ଼ିବାରେ ମଧ୍ୟ ଲାଗିଥିଲା । ସେ ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝିବା ସହିତ ଲୋକଙ୍କ ସବୁଧା ଅସୁବିଧାରେ ଠିଆ ହେଉଥିଲେ । ଯାହାକି ବିଜେଡି ଟିକେଟ ପାଇବାର ମୁଖ୍ୟ କାରଣ । ତେବେ ରମେଶଙ୍କୁ ଦଳୀୟ ଟିକେଟ ମିଳିବା ପରେ ବେଶ ଖୁସି ଅଛନ୍ତି ତାଙ୍କ ସମର୍ଥକ । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସବୁ ବ୍ଳକରେ ରମେଶଙ୍କ ସମର୍ଥକଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା ।
ଅପରପକ୍ଷରେ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର କେତେ ଜଣ ହାତଗଣତି ସମର୍ଥକଙ୍କୁ ଧରି ଦଳୀୟ ଟିକେଟ ପାଇଁ ମନ୍ତ୍ରୀ ଏବଂ ପର୍ଯ୍ୟବେକ୍ଷକଙ୍କ ଘରକୁ ଦୌଡି ଦୌଡି ଚପଲ ଘୋରି ହୋଇ ଯାଇଥିଲେ ସୁଦ୍ଧା ମୁଗୁରା ପଛପଟ ମେଲା ହେଲା ଭଳି ଘଟଣା ଘଟିଛି । ରାତି ଅନିଦ୍ରା ହୋଇ ଘନ ଘନ ମିଟିଙ୍ଗ କରିଥିଲେ ପୂର୍ଣ୍ଣ । ଦଳୀୟ ଟିକେଟ ମିଳିବ ବୋଲି ସମର୍ଥକମାନେ କୁରୁଳୁଥିବା ବେଳେ ଏବେ ସେମାନଙ୍କର ସତ୍ତା ଉଡିଯାଇଥିବା ଦେଖିବାକୁ ମିଳିଛି । ଚିକେନ ଭାତ ଖାଇ ପଡିରହିଥିବା ସମର୍ଥକମାନେ ଶେଷରେ ଟିକେଟ ନପାଇ ହତାଶ ହେବା ପରେ ବିଧାୟକଙ୍କୁ ନେଇ ବିଜେପି ଶିବିରରେ ପଦ୍ମପୋଖରୀରେ କୁଦ ମାରିବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।