ନବରଙ୍ଗପୁର(ଏଟିଆର ବ୍ୟୁରୋ): ଧମକ ଦେବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପୁଲିସ । ସବୁଠୁ ବଡ଼ କଥା ହେଉଛି ଏହି ଅଭିଯୁକ୍ତମାନେ ଅନ୍ୟ କାହାରିକୁ ନୁହେଁ ବରଂ ଜଣେ ଆଇନ୍ଜୀବୀଙ୍କୁ ଧମକ ଦେଇଥିବା ନେଇ ଅଭିଯୋଗ ଉଠିଛି । ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଅଞ୍ଚଳରେ । ପୁଲିସ ଅଭିଯୁ୍କ୍ତଙ୍କ ପାଖରୁ ୨ଟି ମୋବାଇଲ ଫୋନ, ୨ଟି ବାଇକ୍, ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୧ଲକ୍ଷ ଟଙ୍କା ଜବତ କରିଥିବା ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ ଗତ ୪ ତାରିଖର ଘଟଣା । ନବରଙ୍ଗପୁରର ଜଣେ ଓକିଲଙ୍କ ଗାଡି ଚୋରି ହୋଇ ଯାଇଥିଲା । ତେବେ ଚୋରି ହେବା ପରେ ଖୋଦ୍ ଅଭିଯୁକ୍ତଙ୍କ ମଧ୍ୟରୁ ଶିବୁ ନାମକ ଯୁବକ ଓକିଲଙ୍କୁ ଫୋନ କରି ସିନ୍ଧିଗୁଡା ସ୍ଥିତ ଆମ୍ବତେଟା ନିକଟରୁ ବାଇକ୍ ନେଇଯିବା ପାଇଁ କହିଥିଲା । ଓକିଲ ଜଣଙ୍କ ମଧ୍ୟ ଗାଡି ପାଇବା ଆଶାରେ ସେଠାରେ ପହଞ୍ଚିବା ବେଳକୁ ସେଠାରେ ସେ ଶିବୁଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ଦେଖିଥିଲେ । ପରେ ଅଭିଯୁକ୍ତମାନେ ଓକିଲଙ୍କୁ ଟଙ୍କା ମାଗିବା ସହ ଘଟଣା ସମ୍ପର୍କରେ ପୁଲିସକୁ ନଜଣାଇବା ଲାଗି କହିଥିଲେ ।
ବାସ ଏହା ପରେ ଓକିଲଙ୍କୁ ସେମାନେ ବାରମ୍ବାର ଫୋନ କରି ୩ଲକ୍ଷ ଟଙ୍କା ମାଗିଥିଲେ । ଆଉ ଯଦି ସିଏ ଏହି ବିଷୟରେ ପୋଲିସଙ୍କୁ କିଛି କୁହନ୍ତି ତାହାହେଲେ ତାଙ୍କୁ ଅପହରଣ ପରେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ । ଭୟରେ ୧ଲକ୍ଷ ୯ହଜାର ଟଙ୍କା ଯୋଗାଡ କରି ଶିବୁ ଓ ତାଙ୍କ ସହଯୋଗୀଙ୍କୁ ଓକିଲଜଣଙ୍କ ଦେବା ସହ ଏ ସମ୍ପର୍କରେ ନବରଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ପୋଲିସ ଖୋଳତାଡ ଆରମ୍ଭ କରିଥିଲା । ଆଜି ପୋଲିସ ମୁଖ୍ୟ ଅଭିଯୁକ୍ତ ଶିବୁ ଓ ତାର ୩ଜଣ ସାଥୀକୁ ଗିରଫ କରିଛି ।