ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେପି ଛାଡି ବିଜେଡିରେ ମିଶିଛନ୍ତି ରାଜ୍ୟ ବିଜେପିର ପୂର୍ବତନ ଉପସଭାପତି ସୁଷମା ବିଶ୍ୱାଳ । ସୋମବାର ବିଜେଡି ହାଇକମାଣ୍ଡଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ସୁଷମା । ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା ଏବଂ ଜିଲ୍ଲା ପ୍ରଭାରୀ ଅତନୁ ସବ୍ୟସଚୀଙ୍କ ମଧ୍ୟ ଏହି ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ଏବଂ ନେତୃତ୍ୱ ସୁଷମାଙ୍କ ବେଶ ପ୍ରଭାବିତ କରିଛି । ଏଣୁ ସେ ବିଜେପି ଛାଡି ବିଜେଡିରେ ମିଶିଛନ୍ତି । ସେପଟେ ବିଜେପିରେ ତାଙ୍କୁ ଅଣଦେଖା କରୁଥିବା ମଧ୍ୟ ସେ କହିଛନ୍ତି । ସୁଷମା ୨୦୧୪ ସାଧାରଣ ନିର୍ବାଚନରେ ନୀଳଗିରି ଆସନରୁ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିଥିଲେ ।
ନିର୍ବାଚନ ତାରିଖ ଘୋଷଣା ହେବା ପରେ ନେତାଙ୍କ ଦଳ ବଦଳ ନିୟମିତ ଭାବରେ ଚାଲିବ । ନିଜର ସ୍ୱାର୍ଥ ଏବଂ ଭବିଷ୍ୟତ ପାଇଁ ନେତାମାନେ ଦଳ ବଦଳ କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏବେ କିଛିଦିନ ହେବ ରାଜ୍ୟ ରାଜନୀତିରେ ଏଭଳି ଦଳ ବଦଳ ନିୟମିତ ଭାବରେ ଚାଲିଛି । କିଏ ଦଳରୁ ତଡା ଖାଉଛି ତ ଆଉ କିଏ ଦଳ ଛାଡି ଅନ୍ୟ ଦଳରେ ମିଶୁଛି । ତେବେ ଏହି ଦଳ ବଦଳ ଆସନ୍ତା ନିର୍ବାଚନରେ କଡା ଟକ୍କର ହେବାର ସେଂଙ୍କେତ ଦେଉଛି ବୋଲି ଚର୍ଚ୍ଚା ହେଉଛି । ତେବେ ସୁଷମା ବିଜେଡିରେ ମିଶିବା ପରେ ନୀଳଗିରିରେ ତାଙ୍କର ବହୁ ସମର୍ଥକ ବିଜେଡିକୁ ସମର୍ଥନ କରିବେ । ଫଳରେ ସେଠାରେ ବିଜେଡିର ପଲ୍ଲା ଆହୁରି ଭାରି ହୋଇଯିବ ବୋଲି ଆଶା କରାଯାଉଛି ।