ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଦୀର୍ଘ ୬ ବର୍ଷ ପରେ ଦିଲ୍ଲୀ ପ୍ଳେଅଫରେ ସ୍ଥାନ ପାଇଛି । ମଝିରେ ବିତିଯାଇଥିବା ୬ ବର୍ଷ ଆଇପିଏଲ ସିଜିନରେ ଭଲ ଖେଳାଳି ରହିଥିଲେ ସୁଦ୍ଧା ଦଳ ସେତେ ଭଲ ପ୍ରଦର୍ଶନ କରିନାହିଁ । ଏବେ ଦଳରେ ଯୁବ ଖେଳାଳିମାନେ ଭଲ ଫର୍ମରେ ଅଛନ୍ତି । ତେବେ ଦିଲ୍ଲୀ ପ୍ଳେଅଫରେ ସ୍ଥାନ ପକ୍କା କରିବା ପାଇଁ ଗାଙ୍ଗୁଲି ଏବଂ ପଣ୍ଟିଂଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଉଭୟଙ୍କ ପ୍ରଶିକ୍ଷଣ ପାଇଁ ଦଳ ଭଲ ପ୍ରଦର୍ଶନ କରି ଆସିଛି । ତେବେ ଏହିସବୁ ଦୁଇ ପୂର୍ବତନ କ୍ରିକେଟ କିମ୍ବଦନ୍ତି ଅଧିନାୟକଙ୍କ ପାଇଁ ହୋଇଛି ବୋଲି କହିଛନ୍ତି ଶିଖର ଧାୱନ । ଦିଲ୍ଲୀ ଶେଷଥର ପାଇଁ ୨୦୧୨ରେ ବିରେନ୍ଦ୍ର ସେହ୍ୱାଗଙ୍କ ଅଧିନାୟକତ୍ୱରେ ପ୍ଳେଅଫ ଖେଳିଥିଲା ।
ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଏବଂ ଉପଦେଷ୍ଟା ସୌରଭ ଗାଙ୍ଗୁଲିଙ୍କ ପାଇଁ ଏହି ଭାଗ୍ୟ ପରିବର୍ତନ ସମ୍ଭବ ହୋଇଛି ବୋଲି ଧାୱନ ପ୍ରକାଶ କରିଛନ୍ତି। ‘ପ୍ରଶିକ୍ଷକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି। ପଣ୍ଟିଂ ଏବଂ ଦାଦା (ଗାଙ୍ଗୁଲି)ଙ୍କ ଭଳି ଦୁଇ ଜଣ ପୂର୍ବତନ ଅଧିନାୟକ ରହିଛନ୍ତି, ଯେଉଁମାନେ ନିଜ ନିଜ ଜାତୀୟ ଦଳକୁ ସଫଳତାର ସହ ନେତୃତ୍ବ ଦେଇଛନ୍ତି। ଯୋଜନା ଏବଂ କୌଶଳ ପ୍ରସ୍ତୁତରେ ବି ତାଙ୍କର ଅଭିଜ୍ଞତା ରହିଛି। ମ୍ୟାଚ୍ ବିଜେତା କିଭଳି ପ୍ରସ୍ତୁତ କରାଯାଏ ତାଙ୍କୁ ଭଲ ଭାବରେ ଜଣା। ସେମାନେ ଖେଳାଳିଙ୍କ ଭିତରେ ଆତ୍ମବିଶ୍ବାସ ଭରି ଦେଇଛନ୍ତି। ଋଷବ ପନ୍ତ୍, ପୃଥ୍ବୀ ସ’, ଅଧିନାୟକ ଶ୍ରେୟସ ଆୟର ଏବଂ ମୁଁ ଭଲ ଖେଳୁଛୁ। ବିଦେଶୀ ଖେଳାଳିଙ୍କ ସହିତ ଦିଲ୍ଲୀ ମଧ୍ୟ ଦଳଗତ ଭାବେ ଭଲ କରୁଛି ବୋଲି ଧାୱନ ପ୍ରକାଶ କରିଛନ୍ତି।