ପୁରୀ (ଏଟିଆର ବ୍ୟୁରୋ): ବୃକ୍ଷ ହିଁ ଜୀବନ । ମାତ୍ର ବିଭିନ୍ନ କଳକାରଖାନା , ଘର , ରାସ୍ତା ଘାଟ ନିର୍ମାଣ କରିବା ପାଇଁ ଦିନକୁ ଦିନ ଯେଉଁ ପରିମାଣରେ ଗଛ କଟା ହେଉଛି ଏହା ବାୟୁ ମଣ୍ଡଳକୁ ପ୍ରଦୂଷଣ କରିବା ସହ ବିଶ୍ୱକୁ ଧ୍ୱଂସ ଆଡକୁ ନେବାରେ ଲାଗିଛି । ବୃକ୍ଷରୋପଣ କରି ବିଶ୍ୱକୁ ଧ୍ୱଂସ ମୁଖରୁ ରକ୍ଷା କରିବାର ବାର୍ତ୍ତା ଦେବା ସହ ଗଛ ଲଗାଇବା ପାଇଁ ପ୍ରେରଣା ଇଣ୍ଟନ୍ୟାସନାଲ ଗ୍ରିନ ଆର୍ମି ପକ୍ଷରୁ ଆୟୋଜିତ କରାଯାଇଛି ‘ସବୁଜ ସଂଗ୍ରାମ’ ଅଭିଯାନ । ଆଜି ଶ୍ରୀ ମନ୍ଦିର ସିଂହଦ୍ୱାରଠାରେ ‘ସବୁଜ ସଂଗ୍ରାମ’ର ଉଦଘାଟିତ ହୋଇଯାଇଛି ।୨୦୩୫ ସୁଦ୍ଧା ଓଡିଶାକୁ ସବୁଜ ରାଜ୍ୟରେ ପରିଣତ କରିବାର ଓ ୨୦୨୦ ନଭେମ୍ବର ସୁଦ୍ଧା ସବୁଜମୟ କରିବାର ଦୃଢ ସଂକଳ୍ପ ନିଆଯାଇଛି ବୋଲି ପ୍ରେରଣା ଇଣ୍ଟନ୍ୟାସନାଲ ଗ୍ରିନ ଆର୍ମି ପକ୍ଷରୁ ସ୍ଥିର କରାଯାଇଛି ।
ଏହି ସଂକଳ୍ପ ଶୋଭାଯାତ୍ରାରେ ପ୍ରେରଣା ଇଣ୍ଟନ୍ୟାସନାଲ ଗ୍ରିନ ଆର୍ମି ର କମାଣ୍ଡର ଇନ୍ ଚିଫ ଡ଼. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଶ୍ରୀ ମନ୍ଦିରଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ବେଦପାଠ , ଶଙ୍ଖଧ୍ୱନି ଭିତରେ ଛତିଶାନିଯୋଗର ଜନାର୍ଦ୍ଦାନ ପାଟୋଯୋଶୀ ମହାପତ୍ର , ବରିଷ୍ଠ ସେବାୟତ ମଧୁସୂଦନ ସଂହାର ପ୍ରମୁଖ ଶ୍ରୀ ମନ୍ଦିରରୁ ଦୀପ ଓ ବାନା ଧରି ଆସିବା ପରେ ସିଂହଦ୍ୱାରଠାରେ ସେଠାରେ ଉପସ୍ଥିତ ଥିବା ସମସ୍ତ କର୍ମକତ୍ତାଙ୍କୁ ଶପଥ ପାଠ କରାଇଥିଲେ ।
ଏହି ଶୋଭାଯାତ୍ରାରେ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ , ପୁରୀର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ , ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣି , ବିଧାୟକ ସୁରେଶ ରାଉତରାୟ , ଡ. ପ୍ରକାଶ ଶ୍ରୀଚନ୍ଦନ, ଜଗନ୍ନାଥ ବସ୍ତିଆ, ସଂଗୀତା ଦାସ, ରୁତୁପର୍ଣ୍ଣା ମହାନ୍ତି, ସାହିତ୍ୟକ ଶଶାଙ୍କ ଚୁଡାମଣି ପ୍ରମୁଖ ମୁଖ୍ୟ ଅତିଥ ôରୂପେ ସଂକଳ୍ପ ଯାତ୍ରାରେ ଯୋଗ ଦେଇଥିଲେ । ଏହି ଅବସରରେ ପୁରୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦଗାତର , ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଦର୍ଶନ ବେହେରା , ପ୍ରଫୁଲ ତ୍ରିପାଠି , ଅକ୍ଷୟ ଜୟସିଂହ, ହରିହର ସାମଲଙ୍କ ସମେତ ବିଭିନ୍ନ ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯିବା ସହ ସ୍ୱର୍ଗଦ୍ୱାର ଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।