ପୁରୀ (ଏଟିଆର ବ୍ୟୁରୋ): ଶ୍ରୀକ୍ଷେତ୍ରକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିରର ଚତୁପାଶ୍ୱର୍ରୁ ୭୫ମିଟର ପର୍ଯ୍ୟନ୍ତ ଉଚ୍ଚେଦ କରାଯାଇଛି । ଏହି ଉଚ୍ଚେଦରେ ବିଭିନ୍ନ ମଠ, ମନ୍ଦିର ଦୋକାନ ମଧ୍ୟ ଭଙ୍ଗା ଦିଆଯାଇଛି । ତେବେ ଶ୍ରୀକ୍ଷେତ୍ରରେ ଥିବା ଶିଖ ସମ୍ପ୍ରଦାୟର ମଙ୍ଗୁ ମଠକୁ ମଧ୍ୟ ଏହି ଉଚ୍ଚେଦ କାର୍ଯ୍ୟରେ ଭଙ୍ଗା ଯାଇଥିବାର ଇଣ୍ଟରନେଟରେ ଘୁରି ବିଲିଥିଲା । ତେବେ ମଙ୍ଗୁ ମଠ ଭଙ୍ଗା ସମ୍ପର୍କରେ ଇଣ୍ଟରନେଟରେ ଭିଡିଓ ଓ ଫୋଟ ଦେଖି ଆଜି ୫ଜଣ ଶିଖ୍ ସମ୍ପ୍ରଦାୟର ଯୁବକ ପଞ୍ଜାବରୁ ଆସି ପୁରୀରେ ପହଞ୍ଚିଛନ୍ତି । ଏହି ଯୁବକ ପୁରୀକୁ ଆସିବା ପରେ ଆଜି ମଙ୍ଗୁ ମଠ ଉପରେ ଚଢି ଖଣ୍ଡା ବୁଲାଉଥିବା ଦେଖିବାକୁ ମିଳିଛି ।
ଯାହାକୁ ଦେଖି ସ୍ଥାନୀୟ ଲୋକ ଭୟଭିତ ହେବା ସହ ସେଠାରେ କିଛି ସମୟ ପାଇଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ମିଳିଥିବା ସୂଚନା ମୁତାବକ , ଆଜି ଅପରାହ୍ନରେ ପଞ୍ଜାବରୁ ଆସିଥବବା ୫ ଶିଖ୍ ଯୁବକ ସିଡି ପକାଇ ମଙ୍ଗୁ ମଠ ଉପରେ ଚଢିଥିଲେ । ସେଠାରେ ସେମାନେ ଶିଖ୍ ସଂକେତକୁ ପୂଜାର୍ଚ୍ଚନା କରିବା ସହ ଖଣ୍ଡା ବୁଲାଇଥିଲେ । ଯାହାକୁ ଦେଖି ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ହୋଇଯିବା ସହ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଯୁବକମାନଙ୍କୁ ତଳକୁ ଓହ୍ଲାଇବାକୁ କହିଥିଲେ । ହେଲେ ଯୁବକମାନେ ଏଥିରେ ରାଜି ନହୋଇ ନିଜ ଯିଦିରେ ଅଟଳ ରହିଥିଲେ । ସେମାନଙ୍କୁ ବୁଝାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଉନଜିଲ୍ଲାପାଳ ଭବତାରଣ ସାହୁ ମଧ୍ୟ ଆସିଥିଲେ । ଯୁବକମାନେ କିଛି ଶୁଣିବାକୁ ରାଜି ନଥିବା ବେଳେ ଛାତରୁ ଡେଇଁପଡିବାକୁ ଧମକ ଦେଇଥିଲେ ।
ପ୍ରଶାସନିକ ଅଧିକାରୀମାନେ ଦୀର୍ଘ ସମୟ ଧରି ବୁଝାସୁଧା କରିବା ପରେ ସଂପୃକ୍ତ ଶିଖ ଯୁବକମାନେ ଛାତରୁ ଓହ୍ଲାଇ ଆଲୋଚନା କରିଥିଲେ । ଆଲୋଚନା ପରେ ଯୁବକମାନେ ପୁଣି ଛାତ ଉପରକୁ ଯାଇ ସଂକେତକୁ ପୂଜାର୍ଚ୍ଚନା କରି ପ୍ରତିଷ୍ଠା କରିଥିଲେ । ତେବେ ଗୁରୁ ନାନକଙ୍କ ଜୟନ୍ତୀ ଚାଲିଥିବାରୁ ଏହି ଯୁବକମାନେ ସଂକେତ ଲଗାଇବା ପାଇଁ ପଞ୍ଜାବରୁ ପୁରୀକୁ ଆସିଥିଲେ ବୋଲି ଜଣାପଡିଛି । ସଂପୃକ୍ତ ଶିଖ୍ ଯୁବକଙ୍କ ସହ ପ୍ରଶାସନର ଆଲୋଚନା ପରେ ଘଟଣାର ସମାଧାନ ହୋଇଥିଲା । ତେବେ ଏହି ଯୁବକଙ୍କୁ ସିଂହଦ୍ୱାର ଥାନାକୁ ନିଆଯାଇ ଅଧିକ ପଚରାଉଚରା କରାଯାଇଛି ।