ପୁରୀ ( ଏଟିଆର ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ଚାରି କଡରୁ ହେଉଥିବା ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ ଦ୍ୱାରା ଡକା ଯାଇଥିବା ସର୍ବଦଳୀୟ ବୈଠକ ବିଫଳ ହେବା ପରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ହୋଇଥିଲା । ଗତ ୪ ଦିନ ହେଲା ପୁରୀରେ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରହିଥିବା ବେଳେ ଆଜି ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ମଧ୍ୟ ଏମଆର ମଠ ଉଚ୍ଛେଦ ଜାରି ରହିଛି ।
ଅନ୍ୟପଟେ ୯ ତାରିଖରେ ଆକିମସ କ୍ୟୁରୀ ରଞ୍ଜିତ କୁମାର ଏବଂ ସେଲଟର ଜେନେରାଲ ଆସିବାର ଥିଲା । ମାତ୍ର ପରିସ୍ଥିତି କୁ ନଜରରେ ରଖି ସମୟରେ ପରିବର୍ତ୍ତନ କରାଯାଇଛି । ଆସନ୍ତାକାଲି ଆକିମସ କ୍ୟୁରୀ ଆସିବା ପାଇଁ ସ୍ଥିର ହୋଇଛି । ସୂଚନାଯୋଗ୍ୟ ପୁରୀରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସର୍ବଦଳୀୟ ବୈଠକରେ ବିଭିନ୍ନ ସାଧୁ ସନ୍ଥ ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କରିବାକୁ ଦାବି କରିଥିଲେ ।
ଏହି କମିଟି ବିଭିନ୍ନ ସାଧୁ ସନ୍ଥଙ୍କ ସହିତ ରାଜନୈତିକ ନେତା, ଆଇନ ଜୀବି , ସ୍ୱେଚ୍ଛାସେବୀ, ବିଭିନ୍ନ ମଠର ମହନ୍ତଙ୍କୁ ନେଇ ବୈଠକ କମିଟି ଗଠନ ହୋଇଥିଲା । ଆଗ ଥଇଥାନ ଓ ପରେ ଉଚ୍ଛେଦ କରିବାକୁ ଦାବି କରିଥିଲା ସର୍ବଦଳୀୟ କମିଟି । ଅନ୍ୟପଟେ ଜଗଦଗୁରୁ ଶଙ୍କରାଚାର୍ୟ୍ୟ ପ୍ରଶାସନର ଏହି ଉଚ୍ଛେଦ ପ୍ରକ୍ରିୟାକୁ ସମାଲୋଚନା କରିଥିଲେ । ସେହଭଳି ମଠ ମନ୍ଦିର ଉଚ୍ଛେଦ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ବିଭିନ୍ନ ମଠ ମହନ୍ତ ଖୋଲା ଚିଠି ଲେଖିଥିଲେ ।