ଭୁବନେଶ୍ୱର ( ଏଟିଆର ବ୍ୟୁରୋ୦; ଏଇ ଗତ ଗୋଟିଏ ସପ୍ତାହ ହେଲା ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଛି । ପ୍ରତିଦିନ ଅପରାହ୍ନରେ ଲଗାଣ ବର୍ଷା ସାଙ୍ଗକୁ ବିଜୁଳି ଓ ଘଡଘଡି ଜନଜୀବନ ଅସ୍ତବ୍ୟସ୍ତ କରି ପକାଉଛି । ତେବେ ଆଗକୁ ଯଦି ଆମେ ବର୍ଷା କଥା ଦେଖିବା ଆସନ୍ତା ଅପ୍ରେଲ ୩୦ ତାରିଖରୁ ମେ ୩ ତାରିଖ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ ।
ସୂଚନା ଅନୁସାରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖାପାଖ ଏରିଆରେ ଏକ ଲଘୁଚାପ ଦାନା ବାନ୍ଧୁଛି । ଯାହା ଆସନ୍ତା ୩୦ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ । ଯାହା ଏପ୍ରିଲ ୩୦ ରୁ ମେ ୩ ମଧ୍ୟରେ ପ୍ରଭାବ ଦେଖାଇବ । ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବିଙ୍କୁ ବାରଣ କରାଯାଇଛି ।