ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ଦେଶ ପାଇଁ ମହାମାରୀ ସମୟରେ ଏକ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଫେରୁଥିବା ଶ୍ରମିକ । ରାଜ୍ୟରେ ଏବେ ମଧ୍ୟ ସମାନ ଅବସ୍ଥା ରାଜ୍ୟ ବାହାରେ ଥିବା ଶ୍ରମିକ ମାନେ ଏବେ ଘର ମୁହାଁ ହୋଇଥିବାରୁ କରୋନା କାୟା ଏବେ ଅଧିକ କାଳ ହେବାକୁ ଲାଗିଛି । କାରଣ ମୁଖ୍ୟତ ଏବେ ନୂଆ ଯେଉଁ ପଜିଟିଭ ଚିହ୍ନଟ ହେଉଛନ୍ତି ସମାନଙ୍କର ଅନ୍ୟ ରାଜ୍ୟ ସହିତ ଲିଙ୍କ ରହିଛି । ବିଶେଷ କରି ପଶ୍ଚିମବଙ୍ଗ ଲିଙ୍କରେ ଏବେ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଯେଉଁଥିପାଇଁ ଶ୍ରମିକ ମାନଙ୍କ ଅବାଧ ପ୍ରବେଶ ପାଇଁ ପ୍ରଶାସନ ମୁଖ୍ୟରାସ୍ଥା ସବୁକୁ ନାକାବନ୍ଦୀ କରି ରଖିଛି । ଶ୍ରମିକ ମାନେ କିଭଳି କ୍ୱାରେଣ୍ଟାଇନରେ ରହିବେ ସେଥିପାଇଁ ମଧ୍ୟ ଉଚିତ ବ୍ୟବସ୍ଥା କରାଯାଉଛି ।
ମାତ୍ର ଏହି ଭିତରେ ଏବେ ଆଉ ଏକ ନୂଆ ଘଟଣା ଦେଖିବାକୁ ମିଳୁଛି । ପ୍ରଶାସନର କଟକଣା ହେତୁ ରାଜ୍ୟକୁ ଫେରିବା ପାଇଁ ଏବେ କିଛି ଲୋକ ଜଳପଥର ସାହାରା ନେଉଥିବାର ଖବର ଆସିଛି । ଅର୍ଥାତ ସମୁଦ୍ର ବାଟ ଦେଇ ଘରକୁ ଫେରୁଛନ୍ତି । ଯାହା ଏବେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କଥାଟା ପୁରା ‘ରାତି ସାରା ଅନିଦ୍ରା ମୁଗୁରା ପଛ ଖୋଲା’ ଭଳି ହୋଇପଡିଛି । ଗତ ସପ୍ତାହେ ହେଲା ନିୟମିତ ଭାବେ ବିିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ସମଦ୍ର ପଥ ଦେଇ ଫେରୁଛନ୍ତି ଶ୍ରମିକ । ଗତକାଲିର ଖବର ଅନୁସାରେ ପୁଣି ୩୯ ଜଣ ଶ୍ରମିକ ଫେରୁଛନ୍ତି । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ଆନ୍ଧ୍ର ପ୍ରଦେଶର ୧୫ ଜଣ ଓ ଓଡିଶାର ୨୪ ଜଣ ।
ସେପଟେ ସମୁଦ୍ର ପଥ ଦେଇ ଶ୍ରମିକ ମାନେ ଚେନ୍ନାଇରୁ ଗଞ୍ଜାମ ଫେରିବା ଘଟଣାରେ ତଦନ୍ତ ନିର୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ ଯାହାବି ହେଉ ତଦନ୍ତ ହେବ । ସବୁ ଠିକ । କାରଣ ଏମାନେ ଅପରାଧୀ ନୁହଁନ୍ତି । କି ଘରକୁ ଫେରିବା ସେମାନଙ୍କ ଅପରାଧ ନୁହେଁ । ବସି ଖାଇଲେ ନଈ ବାଲି ସରେ । ଜୀବନ ବଞ୍ଚାଇବା ପାଇଁ ସେମାନେ ସଂଘର୍ଷ କରି ଫସିଥିବା ଶ୍ରମିକ ବନ୍ଧୁ ମାନେ ଏମିତି ରାସ୍ଥା ଆପଣେଇ ଥାଇ ପାରନ୍ତି । ଏହାକୁ ଏଡାଇ ଦିଆଯାଇ ନପାରେ ।
କଥା ଉଠୁଛି ଆମ ଜଳ ପଥ କେତେ ସୁରକ୍ଷିତ? ଜଳ ପଥର ସୁରକ୍ଷା ବ୍ୟବସ୍ଥା କେତେ କଡାକଡି ? ଶତୃରାଷ୍ଟ୍ର ଯେ ଏହାର ସୁଯୋଗ ନେଇ ଆମ ଦେଶ ବା ରାଜ୍ୟରେ ଅନୁପ୍ରବେଶ ନକରିବ ତାକୁ କିଏ ରୋକିବ? କାରଣ କରୋନା ଭିଡ ଭିତରେ ଯଦି ଆମେ ଆମ ପ୍ରତିରକ୍ଷାକୁ ଭୁଲିଯିବା ତେବେ କଥା ସାଙ୍ଗାତିକ ହୋଇପାରେ । କାରଣ ସତୃ ଜାଣିଛି ‘ ନଇଁ ପଡିଥିବା ଯେତିକି ବେଳେ ବିଧାଏ ମାରିବ ସେତିକି ବେଳେ’’ । କାରଣ ସମୁଦ୍ର ପଥ ଦେଇ ଆତଙ୍କୀ ପ୍ରବେଶର ଅନେକ ଦୃଷ୍ଟାନ୍ତ ଅଛି ଆମ ଦେଶରେ । ୨୬/୧୧ ମୁମ୍ବାଇ ଆଟାକର ଆତଙ୍କିବି ବାଛିଥିଲେ ସମୁଦ୍ର ପଥ । ଏହି ସଂଙ୍କଟ ସମୟରେ ଏହି ଆଶଙ୍କା ଉପରେ ମଧ୍ୟ ଧ୍ୟାନ ଦିଆଯିବା ଉଚିତ ।