ମୁମ୍ବାଇ (ଏଟିଆର ବ୍ୟୁରୋ): କରୋନା ପାଇଁ ଏବେ ଦେଶବ୍ୟାପି ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏନେଇ ସମସ୍ତ କ୍ଷେତ୍ର ପ୍ରଭାବିତ ହୋଇଛି । ଏଥିରୁ ବାଦ୍ ପଡି ନାହିଁ ବଲିଉଡ ଇଣ୍ଡଷ୍ଟ୍ରୀ । ଇଣ୍ଡଷ୍ଟ୍ରୀର ସମସ୍ତ ସୁଟିଂକୁ ବାତିଲ କରି ଦିଆଯାଇଛି । ଇତିମଧ୍ୟରେ ଫିଲ୍ମ, ସିରିଏଲ, ବିଜ୍ଞାପନ, ଏବଂ ୱେବସିରିଜ୍ ର ସୁଟିଂ ସହ ଜଡିତ ଦିନ ମଜୁରିଆଙ୍କ ପାଇଁ ସଙ୍କଟ ମାଡି ବସିଛି । ଏହି ଘଡି ସନ୍ଧି ମୁହୂର୍ତ୍ତରେ ଏବେ ବଲିଉଡର ସୁପରଷ୍ଟାର ସଲମାନ ଖାଁ ଏହି ଦିନ ମଜୁରିଆଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଇଛନ୍ତି ।
ମିଡିଆ ରିପୋର୍ଟ ମୁତାବକ, ସଲମାନଙ୍କ ପକ୍ଷରୁ ଇଣ୍ଡଷ୍ଟ୍ରୀର ମାତୃ ସଂସ୍ଥା ଫେଡେରେଶନ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପେ୍ଲାଇଜ୍ (ଏଫଡବ୍ଲୁୃଆଇସିଇ)ଙ୍କୁ ଫୋନ୍ କରି ୨୫୦୦୦ ଦିନ ମଜୁରିଆଙ୍କ ବ୍ୟାଙ୍କ ଆକାଉଣ୍ଟ ମଗାଯାଇଛି । ଯାହାଦ୍ୱାରା ସେମାନଙ୍କ ଆର୍ଥିକ ସାହାଯ୍ୟ ମିଳିପାରିବ ।
ଏନେଇ ଏଫଡବ୍ଲୁୃଆଇସିଇ ର ଜେନେରାଲ ସେକ୍ରେଟାରୀ କହିଛନ୍ତି କି, ଦିନ ମଜୁରିଆଙ୍କ ସହାୟତା କରିବା ପାଇଁ ନିକଟରେ ସଲମାନଙ୍କ ସିଇଓ ଫେଡେରେଶନକୁ ଫୋନ୍ କରିଥିଲେ । ମୁଁ ତାଙ୍କୁ କହିଲି କି ଫେଡେରେଶନ ସହିତ ବିଭିନ୍ନ ବିଭାଗର ପାଖାପାଖି ୫ ଲକ୍ଷ କର୍ମଚାରୀ ଯୋଡି ହୋଇଛନ୍ତି । କିନ୍ତୁ ଦିନ ମଜୁରିଆଙ୍କ ସଂଖ୍ୟା ପାଖାପାଖି ୨୫୦୦୦ । ଏହାପରେ ଦିନ ମଜୁରିଆଙ୍କ ବ୍ୟାଙ୍କ ତଥ୍ୟ ମଗାଯାଇଥିଲା । ମୁଁ ସେମାନଙ୍କ ତଥ୍ୟ ପଠାଇ ଦେଇଛି ।