ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମୁକାବିଲା କରିବାରେ ଲାଗିଛି । ତେବେ ଏଭଳି ପରିସ୍ଥିତିରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇ ରହିଛି । ଏହାରି ଭିତରେ ପରୀକ୍ଷା ସୂଚୀ ବାହାରିଛି । ଆସନ୍ତା ଜୁଲାଇ ୨୪ ତାରିଖରୁ ଯୁକ୍ତ ୩ ଫାଇନାଲ ପରୀକ୍ଷା ହେବେ । ସେହିଭଳି ଅଗଷ୍ଟ ୨୦ ତାରିଖରୁ ପିଜି ଫାଇନାଲ ପରୀକ୍ଷା ଅନୁଷ୍ଠିତ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏନେଇ କୁଳପତି ମାନଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ପରେ ମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି । ଏହା ସହ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ସେପ୍ଟେମ୍ବର ରୁ ଅକ୍ଟୋବର ମାସ ଭିତରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।
ଏହା ସହ କଲେଜ ମାନଙ୍କରେ ଏକ ତୃତୀୟାଂଶ କର୍ମଚାରୀ ମାନଙ୍କୁ ନେଇ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ । ତେବେ କରୋନା ଭାଇରସ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଅନ୍ ଲାଇନ୍ ରେ ପାଠ ପଢାଇବାକୁ ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଥିଲା । ତେବେ ବର୍ତ୍ତମାନ ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସୂଚନାଯୋଗ୍ୟ କରୋନା ଭାଇରସ ବ୍ୟାପୁ ଥିବାରୁ ଆସନ୍ତା ମେ’୧୭ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍ ଡାଉନ୍ ଭଳି ପରିସ୍ଥିତି ରହିବ । ତେବେ ରାଜ୍ୟରେ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।