ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପିଲାମାନଙ୍କ ମଧ୍ୟରେ ପାଠ ପଢିବାର ଆଗ୍ରହ ସୃଷ୍ଟି କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ବିଭିନ୍ନ ଯୋଜନା କରିଥାନ୍ତି । ଛାତ୍ରଛାତ୍ରୀ ମାନଙ୍କ ପାଇଁ ମାଗଣାରେ ପୋଷାକ , ଜୋତା , ସାଇକେଲ ସହ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛ ସରକାରୀ ସ୍କୁଲ ମାନଙ୍କରେ । ହେଲେ ଅନେକ ସମୟରେ ଏହି ଯୋଜନା ଗୁଡିକର ବାଟବଣା ହେଉଥିବା ଦେଖିବାକୁ ମିଳିଥାଏ । ମଧ୍ୟାହ୍ନ ଭୋଜନ ଅନିୟମିତତା ,ଅପୃଷ୍ଟିସାର ଖାଦ୍ୟ ଦିଆଯାଉ ଥିବାର ଅଭିଯୋଗ ସାମ୍ନାକୁ ଆସିଥାଏ । ସରକାର ଏହି ବାବଦରେ ଖାଦ୍ୟ ମାନ ଯାଞ୍ଚ କରିବାକୁ ସରକାରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଯେମିତି ଧର୍ମକୁ ଆଖି ଠାର ଭଳି ହୋଇଯାଇଛି ।
ଅଧିକାରୀ ମାନଙ୍କ ଗ୍ରସ୍ତ କୌଣସି ପ୍ରକାରର ପ୍ରଭାବ ପକାଉ ନଥିବା ଜଣାପଡୁଛି । ଆଜି ଏହି ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜ ଅନୁସାରେ, ଏଥର ମନ୍ତ୍ରୀ ଓ ଅଫିସରମାନେ ବିଭିନ୍ନ ବିଦ୍ୟାଳୟ , ଅନାଥାଶ୍ରମ ଆଦି ବୁଲିବା ସହ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିବେ । ମନ୍ତ୍ରୀ ଓ ଅଫିସର ମାନେ ବିଭିନ୍ନ ସ୍ଥାନ ଗ୍ରସ୍ଥ କରୁଥିବା ବେଳେ ବାହାରେ ମଧ୍ୟାହ୍ନ ଭୋଜନ ନକରି ଅଚାନକ ଅନାଥାଶ୍ରମ , ଭିନ୍ନକ୍ଷମ ଓ ଶିଶୁମାନଙ୍କ ଯତ୍ନ ନେବା ପାଇଁ ଥିବା ସରକାରୀ ଅନୁଷ୍ଠାନ , ସ୍କୁଲ ଓ ଆହାର କେନ୍ଦ୍ର ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ମନ୍ତ୍ରୀ ଓ ଅଫିସର ମାନେ ନିଜ ଗ୍ରସ୍ତକୁ ଯଥା ସମ୍ଭବ ଗୁପ୍ତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।