ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସେପ୍ଟେମ୍ବର ମାସରୁ ଟ୍ରାଫିକ ନିୟମ କଡାକଡି ହେବା ଦିନଠାରୁ ଜନସାଧାରଣ ମାନଙ୍କ ମଧ୍ୟରେ ସଚେତନତା ଦେଖିବାକୁ ମିଳଛି । ଯେଉଁ ଗାଡି ଚାଳକ ଟ୍ରାଫିକ ନିୟମକୁ ପାଳନ କରୁ ନଥିବାର ନଜରକୁ ଆସୁଛନ୍ତି ସେମାନଙ୍କୁ ଦେବାକୁ ପଡୁଛି ମୋଟା ଜୋରିମାନା । ତେବେ ଅନେକ ସମୟରେ ଟ୍ରାଫିକ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ଡ୍ୟୁଟିରେ ଅବହେଳା କରିବା ସହ ଫୋନରେ ଗପୁଥିବାର ନଜରକୁ ଆସୁଛନ୍ତି ।
ବାରମ୍ବାର ଏହାକୁ ନେଇ ଅଭିଯୋଗ ଆସୁଥିବାରୁ କମିଶନରେଟ ପୋଲିସ ଏହାକୁ ଗୁରୁତ୍ୱ ସହ ଗ୍ରହଣ କରିଛି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ସୁବ ଅଭିଯୋଗକୁ ଗୁରୁତ୍ୱର ସହ ନେବା ସହ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏବେ ଟ୍ରାଫିକ ଡ୍ୟୁଟି ସମୟରେ ଯଦି ଟ୍ରାଫିକ କର୍ମଚାରୀମାନେ ଫୋନରେ ଗପିବାର ନଜରରେ ଆସିଲେ କିମ୍ବା ଡ୍ୟୁଟିରେ ଅବହେଳା କରୁଥିବାର ଦେଖିବାକୁ ମିଳେ ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।
ଟ୍ରାଫିକ ଏସିପି ଓ ଥାନା ଅଧବକାରୀଙ୍କୁ ଏ ସମ୍ପର୍କରେ ତାଗିତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ତେବେ ଏ ସମ୍ପର୍କରେ ରାଜଧାନୀର ସବୁ ଟ୍ରାଫିକ ଥାନାରେ ନୂଆ ନିର୍ଦ୍ଦେଶ ସଂକ୍ରାନ୍ତରେ ନୋଟିସ ଲଗାଯାଇଛି । ବାରମ୍ବାର ତାଗିତ କରିବା ସତ୍ତେ୍ୱ ଟ୍ରାଫିକ କର୍ମଚାରୀ ମାନେ ଡ୍ୟୁଟିରେ ଅବହେଳା କରିବା ସହ ଫୋନରେ ଗପୁଥିବାର ଦେଖିବାକୁ ମିଳୁଛି । ଯାହାଫଳରେ ସାଧାରଣ ନାଗରିକମାନଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳୁଛି ।