ସୁନ୍ଦରଗଡ(ଏଟିଆର ବ୍ୟୁରୋ): ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ଗତକାଲି ରାଜ୍ୟରେ ଚିହ୍ନଟ ହୋଇଥିବା ୪ଟି କରୋନା ପଜେଟିଭ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲା ବିଶ୍ରା ଅଞ୍ଚଳରେ ଦୁଇ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ବିଶ୍ରା ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ଦ୍ୱାରା ସିଲ୍ କରିଦିଆଯାଇଛି । ଏହା ସହ ଆସନ୍ତା ୪୮ ଘଣ୍ଟା ପାଇଁ ଘରୁ କେହି ନ ବାହାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି ଅଗ୍ନିଶମ କର୍ମଚାରୀ ଓ ୩ଟି ଦମକଳ ସହାୟତାରେ ସମଗ୍ର ଅଞ୍ଚଳକୁ ସାନିଟାଇଜ କରାଯାଉଛି । ବିଶ୍ରା ଟାଉନର ଦରେଇକେଲା, ପୁରୁଣା ବିଶ୍ରା, ବୁଧେଲଜର, ସନ୍ତୋଷପୁର ଯାଇଥିବା ରାସ୍ତା ପ୍ରବେଶପଥକୁ ସିଲ୍ କରାଯାଇଛି । ଏଥିସହ ବିଶ୍ରା ବ୍ଲକର ସନ୍ତୋଷପୁର, ସାରୁବାହାଲ, ଜଡାଟୋଲୀ, ମନକୋ, କୋକେରମା, ସାନପୋଖରୀ, କପାଟମୁଣ୍ଡା, କପରଣ୍ଡା ଆଦି ମୌଜାକୁ ମଧ୍ୟ ସିଲ୍ କରାଯାଇଛି ।
ସୂଚନା ଯୋଗ୍ୟ ଗତକାଲି ୪ ଚିହ୍ନଟଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ ବିଶ୍ରା ଅଞ୍ଚଳର ବୋଲି ଜଣା ପଡିଛି । ଅନ୍ୟ ଜଣେ କେନ୍ଦ୍ରାପଡା ଅଞ୍ଚଳରର ବୋଲି ଜଣାପଡିଛି । ଏଇ ତିନିଜଣଙ୍କୁ କଟକ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଅନ୍ୟଜଣେ ଭୁବନେଶ୍ୱରର ବୋଲି ଜଣା ପଡିଛି । ତେବେ ନିକଟରେ ୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିଭଳି ପୂର୍ବରୁ ମଧ୍ୟ ୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଓଡିଶାରେ ଏବେ ପର୍ୟ୍ୟନ୍ତ ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏଯାବତ ମୋଟ ୩୫୫୧ ନମୁନା ପରୀକ୍ଷା ହୋଇଥିବାବେଳେ ୩୪୯୭ ଜଣଙ୍କ ନମୁନା ନେଗେଟିଭ୍ ରହିଛି।