ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି । ରାଜଧାନୀ ଭୁବନେଶ୍ୱର ସମେତ ପୂରା ରାଜ୍ୟର ତାପମାତ୍ରା ଆସନ୍ତା ୨ଦିନ ମଧ୍ୟରେ ୨ରୁ ୪ଡିଗ୍ରି ପର୍ୟ୍ୟନ୍ତ ଖସିବ। ଏହିତ ସମୟରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଅଧି କାଂଶ ସ୍ଥାନରେ କାଳବୈଶାଖୀ ଅନୁଭୂତ ହେବା ସହ ବର୍ଷା ଓ ଘଡଘଡି ସହ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।
ଗତକାଲି ମାଲକାନଗିରି ଜିଲ୍ଲାରେ ତାମାତ୍ରା ୪୨ଡିଗ୍ରୀ ସବୁଠାରୁ ଅଧିକ ରହିଥିବାର ଜଣାପଡିଛି । ସେହିପରି ସମ୍ବଲପୁରରେ ୪୧.୬, ତାଳଚେରରେ ୪୧.୫, ସୁନ୍ଦରଗଡ ଓ ଝାରସୁଗୁଡାରେ ୪୧, ଟିଟିଲାଗଡରେ ୪୧.୨, ଭବାନୀପାଟଣା ଓ ହୀରାକୁଦରେ ୪୦.୫, ବାରିପଦାରେ ୪୦ ଏବଂ ଭୁବନେଶ୍ବରରେ ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତାକାଲି କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, ମୟୂରଭଞ୍ଜ, ଗଞ୍ଜାମ, ନୟାଗଡ଼, ଖୋର୍ଧା ଓ ଜଗତସିଂହପୁରରେ କାଳବୈଶାଖୀଜନିତ ବର୍ଷା ହେବା ସହ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ର୍ପ୍ୟନ୍ତ ରହିବ । ସେହିଭଳି ୪ ତାରିଖ ଦିନ ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ପର୍ୟ୍ୟନ୍ତ ରହିବ ବୋଲି ଅନୁମାନ କରାଯାଉଛି।
ଏହାବ୍ୟତୀତ ରାଜଧାନୀ ଭୁବନେଶ୍ୱର ଓ ଏହାର ପାଖାପାଖି ଅଞ୍ଚଳରେ ଆସନ୍ତାମକାଲି ପାଗ ମେଘୁଆ ରହିବା ସହ କିଛି କିଛି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଦିନର ସର୍ବୋଚ୍ଚ ତାପମାତ୍ରା ୩୮ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ଭିତରେ ରହିବ ବୋଲି କେନ୍ଦ୍ର କହିଛି।