ସମ୍ବଲପୁର ( ଏଟିଆର ବ୍ୟୁରୋ): ହାତରେ ବନ୍ଧୁକ, ସାମ୍ନାରେ ପ୍ରେମିକ । ବିଚରା ଝିଅଟା କ’ଣ କରିବ କିଛି ବୁଝି ପାରୁନଥାଏ । ହଁ କହିବ ନା ନାହିଁ କହିବ । ଦେହ ହାତ ଗୋଟା ସୁଧା ଥରୁଛି । ପାଟି ଖନି ମାରିଯାଉଛି । କାହିଁକି ନାଁ ଫୁଲ ବଦଳରେ ବନ୍ଧୁକ ଦେଖାଇ ପ୍ରପୋଜ କରୁଛି ଯୁବକ । ଏତକ ପଢି ସାରିବା ପରେ ଆପଣ ଭାବୁଥିବେ ଆମେ କୌଣସି ସିନେମାର ଖଳନାୟକ ଓ ନାୟିକାର ଦୃଶ୍ୟ କଥା କହୁଛୁ । ବିଲକୁଲ ନୁହେଁ ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଗଙ୍ଗାଧର ମେହେର ଫାଟକ ନିକଟରେ । ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ଲାଷ୍ଟିକ ବନ୍ଧୁକ ଦେଖାଇ ପ୍ରେମ ନିବେଦନ କରୁଥିଲା । ଛାତ୍ରୀଙ୍କୁ ଭୟବିତ କରାଇ ପ୍ରେମ କରିବାକୁ ବାଧ୍ୟ କରୁଥିଲା । ତେବେ ଏହି ଘଟଣା ସ୍ଥାନୀୟ ଲୋକେ ଦେଖିବା ପରେ କୌଣସି ପ୍ରକାରେ ଯୁବକ ଜଣଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିଥିଲେ । ପରେ ଯୁବକକୁ ଟାଉନ ଥାନା ଜିମା ଦେଇଥିଲେ ।