ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସ୍ଥଳ ଭାଗକୁ ଛୁଇଁବା ପରେ ବାତ୍ୟା ତିତଲି ଅନେକ ସ୍ଥାନରେ ତା’ର କରାଳ ରୂପ ଦେଖାଇଛି । ଖାସ କରି ଗଜପତି ଓ ଗୋପାଳପୁର ଅଞ୍ଚଳରେ ତାଣ୍ଡବ କରିଛି ତିତଲି । କେଉଁଠି ଘର ଛପର ଉଡାଇ ନେଇଛି ତ’ ଆଉ କେଉଁଠି ଗଛ ଭାଙ୍ଗି ରାସ୍ତାରେ ପଡିଛି । ସେପଟେ ସମୁଦ୍ର ମଧ୍ୟ ଏଯାବତ ଅଶାନ୍ତ ରହିଛି । ତିତଲି ପ୍ରଭାବରେ ପୁରୀ, ଗଜପତି ଓ ଗଂଜାମ ଇଲାକାରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି ।
ତେବେ ରାଜ୍ୟରେ ବର୍ତ୍ତମାନ ସମୟରେ ବନ୍ୟା ଆଶଙ୍କା ନଥିବା ଜଣାପଡିଛି । ଗଜପତି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ତିତଲି ପାଇଁ ଗୋପାଳପୁର ଠାରେ ଘଣ୍ଟାପ୍ରତି ୧୨୬ କିମି ବେଗରେ ପବନ ବହୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବାତ୍ୟା ପ୍ରଭାବରେ ଗୋପାଳପୂର ଅଞ୍ଚଳରେ ଥିବା ଅନେକ ଘରର ଆଜବେଷ୍ଟସ ଓ ଚାଳଛପର ଉଡିଯାଇଛି । ହାଇମାଷ୍ଟ ଲାଇଟ ପୋଷ୍ଟ ଭାଙ୍ଗି ଯାଇଛି । କେବଳ ଏତିକି ନୁହେଁ ବଡ଼ବଡ଼ ଗଛ ଭାଙ୍ଗିଯିବା ସାଙ୍ଗକୁ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି ।
ରିପୋର୍ଟ କହୁଛି ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ପାଖାପାଖି ୧ଶହରୁ ଅଧିକ ଗଛ ଭାଙ୍ଗିଯାଇଛି । ସବୁଠୁ ବଡ଼ କଥା ହେଉଛି ନିଳକଣ୍ଠ ନଗରରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ବାତ୍ୟା ପ୍ରଭାବରେ ବିଷ୍ଫୋରଣ ଘଟିଥିବା ଖବର ମିଳିଛି । ତେବେ ପୂରା ଘଟଣା ଉପରେ ସଜାଗ ରହିଛି ବ୍ରହ୍ମପୁର ମହାନଗର ନିଗମ । ରାସ୍ତାରେ ପଡିଥିବା ଗଛକୁ ମେସିନ ଲଗାଇ କାଟି ଦିଆଯାଇଛି । ଫଳରେ ଯାତାୟତ ଏକ ପ୍ରକାର ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ବାତ୍ୟା ତିତଲି ଏବେ ପଶ୍ଚିମବଙ୍ଗ ମୁହାଁ ହୋଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।