ଯାଜପୁର,(ଏଟିଆର ବ୍ୟୁରୋ): ପୁଣି ବଦନାମ ଖାକି । ଲାଞ୍ଚ ମାମଲାରେ ଜଣଙ୍କ ପରେ ଜଣେ ପୁଲିସ ବାବୁ ଏବେ ଭିଜିଲାନ୍ସ ଜାଲରେ ପଡୁଥିବା ବେଳେ ସମାନ ଏକ ଘଟଣା ଯାଜପୁରରେ ପୁଣି ସାମ୍ନାକୁ ଆସିଛି । ଲାଞ୍ଚ ନେଇ ବନ୍ଧା ହୋଇଛନ୍ତି ପୁଲିସ ବାବୁ । ଏହି ଲାଞ୍ଚଆ ପୁଲିସ ବାବୁ ଜଣଙ୍କ ହେଉଛନ୍ତି ଟମକା ଥାନାର ଏଏସଆଇ ବିଜୟ କୁମାର ଦାସ । ତାଙ୍କୁ ଆଜି ରଂଗେ ହାତ ଭିଜିଲାନ୍ସ ଗିରଫ କରିଛି ।
ଭିଜିଲାନ୍ସ ଜାଲରେ ପଡିବା ପରେ ଏହି ଲାଞ୍ଚୁଆ ଏଏସଆଇଙ୍କ ପୂରା କଚା ଚିଠା ଖୋଜା ଚାଲିଛି । ଆଉ କାହାଠୁ ଏମିତି ପଟି ମାରି ଏଏସଆଇ ବାବୁ ଲାଲେଲାଲ୍ ପଡିଛନ୍ତି ସେନେଇ ବି ଆରମ୍ଭ ହୋଇଛି ଖୋଳତାଡ । ମିଳିଥିବା ରିପୋର୍ଟ କହୁଛି କୌଣସି ଏକ ଅସୁବିଧାରେ ପଡି ଅମରେନ୍ଦ୍ର ରାୟ ନାମକ ଜଣେ ବ୍ୟକ୍ତି ଟମକା ଥାନାରେ ପହଞ୍ଚିଥିଲେ । ବେଳଖରାପ ପଡିଥିବା ଅମରେନ୍ଦ୍ରଙ୍କୁ ହାବୁଡୁଥିଲେ ଏହି ଲାଞ୍ଚୁଆ ଏଏସଆଇ ବିଜୟ କୁମାର ଦାସ । କାମ କରିବେ କ’ଣ ବାବୁ ଓଲଟି ଟଙ୍କା ମାଗିଥିଲେ । ୫ହଜାର ଟଙ୍କା ଦେଲେ କାମ ହୋଇଯିବ କହି ଅମରେନ୍ଦ୍ରକୁ ବିଦା କରିଦେଇଥିଲେ ।
ତେଣୁ ଉପାୟଶୂନ୍ୟ ହୋଇ ଅମରେନ୍ଦ୍ର ଶେଷରେ ଘଟଣା ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଳେ । ସିଧାସଳଖ ୫ହଜାର ଟଙ୍କା ନେବା ବେଳେ ଏଭଳି ଲାଞ୍ଚୁଆ ଅଫିସରକୁ ସବକ ଶିଖାଇଛି ଭିଜିଲାନ୍ସ । ଭିଜିଲାନ୍ସ ରେକର୍ଡ କହୁଛି ପୁଲିସ ଲାଞ୍ଚ ମାଗିବା ଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ପୁଲିସ ଜନତାଙ୍କ ନିକଟତର ହେବାକୁ ପୁଲିସ ଡିଜି ପରାମର୍ଶ ଦେଉଥିବା ବେଳେ ଏଭଳି ଘଟଣା ପ୍ରମାଣ କରୁଛି ଲୋକଙ୍କ ତଣ୍ଟି ଚିପି କେମିତି ଅଏସ ଆରାମ କରୁଛନ୍ତି ଏଭଳି ଖାକି ବାବୁ ।