ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିବା ସହ ଅଳ୍ପ ପରିମାଣର ଶୀତ ମଧ୍ୟ ଅନୁଭୂତ ହେଉଛି । ଲଗାତାର ଦୁଇ ଦିନ ଯେଉଁଭଳି ଭାବେ ରାଜ୍ୟରେ ବର୍ଷା ଲାଗି ରହିଥିଲା ତାହାର ପ୍ରଭାବରେ ଏହି ଶୀତ ଅନୁଭବ ହେଉଛି । ତେବେ ଆଜି ରାଜ୍ୟର କୌଣସି ବି ଠାରେ ବର୍ଷା ହେଇଥିବାର ସୂଚନା ମିଳିନଥିଲେ ମଧ୍ୟ ସବୁଠାରେ କୁହୁଡି ଦେଖିବାକୁ ମିଳୁଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଜିଠାରୁ ରାଜ୍ୟରେ ପାଗ ସ୍ୱାଭାବିକ ରହିବା ସହ ଘନ କୁହୁଡି ମଧ୍ୟ ଅନୁଭୂତ ହେବ ।
ଏହାକୁ ଦୃଷ୍ଟି ଆଗରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓଡିଶା ସମେତ ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ଝାରସୁଗୁଡାରେ ଘନ କୁହୁଡି ଦେଖାଯିବା ନେଇ ପାଣି ପାଗ କେନ୍ଦ୍ର ପକ୍ଷ ଆକଳନ କରାଯାଇଛି । ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାତିରେ ତାପମାତ୍ରା ୧ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଅନ୍ୟପଟେ ଆଜି ଠାରୁ ସ୍ୱାଭାବିକ ତାପମାତ୍ରା ୨ରୁ ୪ଡିଗ୍ରୀ କମ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।