ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଢ଼େରଦିନ ହେବ ରାଜଧାନୀରେ ଲୁଟପାଟ କରି ଆତଙ୍କ ରଚିଥିବା ଏକ ଗ୍ୟାଙ୍ଗକୁ ଠାବ କରିଛି କମିଶନରେଟ ପୁଲିସ । ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ବିପୁଳ ପରିମାଣର ସୁନାରୂପା ଅଳଙ୍କାର ସମେତ ଏକ ଟିଭି ଜବତ କରିଛି । ଖଣ୍ଡଗିରି ଥାନା ପୁଲିସକୁ ଏହି ସଫଳତା ମିଳିଛି । ତେବେ ଗ୍ୟାଙ୍ଗରେ ଆହୁରି ଅନେକ ଜଡିତ ଥିବା ବେଳେ ସେମାନେ ଏଯାବତ୍ ମଧ୍ୟ ଫେରାର ରହିଛନ୍ତି । ତଦନ୍ତ ଜାରି ରହିଛି ଓ ଖୁବ୍ ଶୀଘ୍ର ବାକି ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।
ଗିରଫ ଅଭିଯୁକ୍ତମାନେ ହେଲେ ଭରତପୁରର ଅଂଶୁମାନ ଅଭିଜିତ ସାହୁ ଓରଫ ରାଜା, ସୁଦ୍ଧିସ୍ୱରୂପ ରାହୁଲ ଓରଫ ସାହିଲ, ଅନିଲ କୁମାର ବେହେରା, ରାଜେଶ ଗାହାଣ ଓରଫ ବିକି ଓ ସନ୍ତୋଷ କୁମାର ପୃଷ୍ଟି । ଏନେଇ ଖଣ୍ଡଗିରି ଥାନାରେ କେସ ନମ୍ବର ୨୩୮ରେ ଏକ ମାମଲା ରୁଜୁ ହୋଇଛି । ରିପୋର୍ଟ ଅନୁସାରେ, ଖଣ୍ଡଗିରି ଓ ତମାଣ୍ଡୋ ଅଞ୍ଚଳରେ ଏହି ଗ୍ୟାଙ୍ଗ ସକ୍ରୀୟ ରହିଥିଲେ । ୨୦୧୮ରେ ଖଣ୍ଡଗିରି ଅଞ୍ଚଳରେ ଥିବା ଜଣେ ବ୍ୟକ୍ତିଙ୍କ ଘରୁ ଏହି ଗ୍ୟାଙ୍ଗ୍ କଳାକନା ବୁଲାଇବା ପରେ ଅଭିଯୋଗ ଥାନାରେ ପହଞ୍ଚିଥିଲା । ପୁଲିସ ଅତି ସର୍ତକତାର ସହ ଘଟଣାର ଖୋଳତାଡ ଆରମ୍ଭ କରିଥିଲା ।
ପ୍ରାଥମିକ ପର୍ଯ୍ୟାୟରେ ସିସିଟିଭିରୁ ଜଣେ ଅଭିଯୁକ୍ତର ପତ୍ତା ମିଳିବା ପରେ ପୁଲିସ ତାକୁ ସ୍କାନରକୁ ନେଇଥିଲା । ତାକୁ ଅଟକ ରଖି ପଚରାଉଚରା କରିବା ପରେ ଗ୍ୟାଙ୍ଗ ସମ୍ପର୍କରେ ସୂଚନା ମିଳିଥିଲା । ଶେଷରେ ୫ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ବି ଆହୁରି ଅନେକ ଫେରାର ରହିଛନ୍ତି ।