ମାଲକାନଗିରି (ଏଟିଆର ବ୍ୟୁରୋ); ପୁଣି ଭାରରେ ବୁହା ହେଲେ ପ୍ରସୂତୀ । ତେବେ ଭାରରେ ବୁହା ହୋଇ ଯାଉଥିବା ବେଳେ ମହିଳା ଜନ୍ମ ଦେଇଛନ୍ତି । ଏଭଳି ଏକ ଲଗ୍ନ ରୂପ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ ଅନ୍ତର୍ଗତ ଚେପୁଲପଡା ଗ୍ରାମରେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆମ୍ବୁଲାନ୍ସ ଆସିନପାରିବାରୁ ମହିଳା ବାଟରେ ପ୍ରସୂତି କରିଥିବା ଜଣା ପଡିଛି । ଛୁଆ ଜନ୍ମ ହେବା ପରେ ମା ଏବଂ ଶିଶୁ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣା ପଡିଛି ।
ମିଳିଥିବା ସୂଚନା ମୁତାବକ ସୋମବାର ଚେପୁଲିପଡା ଗ୍ରାମର ଧୁବୁଲ ମାଝୀଙ୍କ ସ୍ତ୍ରୀ କାନ୍ଦ୍ରିଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ଏହାପରେ ପରିବାର ଲୋକ ଆଶା ଦିଦିଙ୍କୁ ଖବର ଦେଇଥିଲେ । ତେବେ ଗାଁକୁ ଯାତାୟତ କରିବା ପାଇଁ ସୁବିଧା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା । ଏଣୁ ପରିବାର ଲୋକ ବାଧ୍ୟ ହୋଇ ଭାରରେ ବୋହି ୭ କି.ମି ବାଟ ଯାଇଥିଲେ । ତେବେ ବାଟରେ ବୋହି ନେଉଥିବା ସମୟରେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ମେଡିକାଲ ନେବା ପୂର୍ବରୁ ହିଁ ମହିଳା ଛୁଆ ଜନ୍ମ କରିଥିଲେ । ଫଳରେ ସମ୍ପର୍କୀୟମାନେ ୭ କିମି ଉଭୟଙ୍କୁ ବୋହି ନେବାପରେ ଆମ୍ବୁଲାନ୍ସ ଆସି ରହିଥିଲା । ପରେ ଆମ୍ବୁଲାନ୍ସ ଯୋଗେ ମା ଏବଂ ଛୁଆକୁ ଖଇରପୁଟ ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ଉଭୟ ମା ଏବଂ ଛୁଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି ।
ତେବେ ବାରମ୍ବାର ଏଭଳି ଅଭାବନୀୟ ଘଟଣା ଲୋକ ଲୋଚନକୁ ଆସିବ ଦୁର୍ଭାଗ୍ୟ ଜନକ । ରାଜ୍ୟରେ ବିକାଶ ହୋଇଛି କହି ସରକାର ଡେଙ୍ଗୁରା ପିଟୁଥିବା ବେଳେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଅତି ନିନ୍ଦନୀୟ । ଏହା ପୂର୍ବରୁ ମଧ୍ୟ ବହୁବାର ଏଭଳି ଘଟଣାମାନ ଘଟିଛି । ତେବେ ଜନ ସାଧାରଣରେ ପ୍ରଶ୍ନ ଉଠୁଛି କି ଆଉ କେତେ ଏଭଳି ଘଟଣା ଘଟିଲେ ପ୍ରଶାସନ ଏବଂ ସରକାର ଚେତିବେ ।