ଔରଙ୍ଗାବାଦ୍, ୧୭ା୨/ଏଜେନ୍ସି: ପ୍ରିୟା ପ୍ରକାଶ ୱାରିୟର୍ଙ୍କ ଡେବ୍ୟୁ ଫିଲ୍ମ ‘ଓଡ଼ୁ ଓଦାରୁ ଲଭ୍’ ଏବଂ ତାଙ୍କ ଆଖିମିଟିକାକୁ ନେଇ ଚର୍ଚ୍ଚା ଥମିବାକୁ ବସିଥିବାବେଳେ ବିବାଦ ପିଛା ଛାଡ଼ୁନି । ଏହି ସିନେମାରେ ଥିବା ଏକ ଗୀତରେ ମୁସଲିମ୍ ଧର୍ମ ସମ୍ପର୍କିତ ବର୍ଣ୍ଣନା ରହିଥିବାବେଳେ ଏହାର ଦୃଶ୍ୟାୟନକୁ ନେଇ ପୁଣି ବିବାଦ ଉପୁଜିଛି ।
ପୂର୍ବରୁ ହାଇଦ୍ରାବାଦର ଏକ ମୁସଲିମ୍ ଗୋଷ୍ଠୀ ଏହି ଫିଲ୍ମର ନିର୍ମାତାଙ୍କ ନାମରେ କେସ୍ ରୁଜୁ କରିଥିବାବେଳେ ସେହି ସମାନ କାରଣ ପାଇଁ ଔରଙ୍ଗାବାଦର ଜନ ଜାଗରଣ ସମିତି ମହାରାଷ୍ଟ୍ର ନାମକ ଏକ ଏନ୍ଜିଓ ଏହି ଫିଲ୍ମ ବିରୋଧରେ କେସ୍ ରୁଜୁ କରିଛି । ଏଥିରେ ପ୍ରଫେଟ୍ ମହମ୍ମଦ ଏବଂ ତାଙ୍କ ପ୍ରଥମ ପତ୍ନୀ ହଜରତ୍ ଖଦିଜାଙ୍କ ଜୀବନ ବିଷୟରେ ବର୍ଣ୍ଣନା ହୋଇଥିବା ଗୀତର ଶବ୍ଦରେ ସମସ୍ୟା ରହିଛି ଏବଂ ଏହା ଅପମାନଜନକ ହୋଇଥିବାରୁ ଫିଲ୍ମର ରିଲିଜ୍ ପୂର୍ବରୁ ଏହି ଗୀତକୁ ବାଦ ଦେବାକୁ ସେମାନେ ଦାବି କରିଛନ୍ତି ।