ଇସ୍ଲାମାବାଦ,୧୭ା୨/ଏଜେନ୍ସି: ଆମେରିକା ଓ ବିଶ୍ୱ ସମୂହର ଚାପରେ ଚେପା ହୋଇଥିବା ପାକିସ୍ତାନର ମିଜାଜ୍ ଧୀରେଧୀରେ ବଦଳିବା ଆରମ୍ଭ ହୋଇଛି । ପୂର୍ବରୁ ମୁମ୍ବାଇ ଆତଙ୍କବାଦୀ ହମ୍ଲାର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦକୁ ଘଣ୍ଟ ଘୋଡ଼ାଉଥିବା ପାକିସ୍ତାନ ଏବେ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଖବର ମିଳିଛି । ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଗୁଡ଼ିକ ଉପରେ ଲଗାମ ଲଗାଇବା ପାଇଁ ଇସ୍ଲାମାବାଦ ଗୁପ୍ତରେ ଏକ ଅଧ୍ୟାଦେଶ ପାରିତ କରିଥିବା ବେଳେ ଏବେ ଆଉ କିଛି ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି । ଯେହେତୁ ହାଫିଜ୍ ଜଣେ କୁଖ୍ୟାତ ଆତଙ୍କବାଦୀ ତେଣୁ ତା’ ଦ୍ୱାରା ପରିଚାଳିତ ଜାମାତ୍ ଉଦ୍ ଦାୱା ସଂଗଠନର ବିଭିନ୍ନ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ପାକିସ୍ତାନ ସରକାର ଅଣ୍ଟା ଭିଡ଼ିଛନ୍ତି । ଜାମାତ୍ ଉଦ୍ ଦାୱାର ନିୟନ୍ତ୍ରଣରେ ଥିବା ବିଭିନ୍ନ ସେମିନାରିଜ୍ ଓ ସ୍ୱାସ୍ଥ୍ୟ ୟୁନିଟ୍କୁ ପାକିସ୍ତାନ ସରକାର ଜବତ୍ କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ଜାମାତ୍ ଦାୱା ନିୟନ୍ତ୍ରଣରେ ୩ଟି ଡିସ୍ପେନସରିଜ୍ ଓ ୩ଟି ଆମ୍ବୁଲାନ୍ସ କାର୍ଯ୍ୟ କରୁଥିଲା । ଏଗୁଡ଼ିକ ବିଶେଷ କରି ପାକିସ୍ତାନର ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିଲା । କିନ୍ତୁ ଏବେ ପାକିସ୍ତାନ ସରକାର ଏଗୁଡ଼ିକୁ ଜବତ କରି ନେଇଛନ୍ତି । ଏହାବାଦ୍ ଜାମାତ୍ ଉଦ୍ ଦାୱା ନିୟନ୍ତ୍ରଣରେ ଆଉ କେଉଁକେଉଁ ସବୁ ଜିନିଷ ରହିଛି, ତା’ର ଏକ ଲିଷ୍ଟ ପ୍ରସ୍ତୁତ କରିବାକୁ ପାକିସ୍ତାନ ସରକାର ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନ ଗଣମାଧ୍ୟମ ଡନ୍ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପଞ୍ଜାବ ପ୍ରଦେଶ ସରକାର ରାୱଲପିଣ୍ଡିର ଜିଲ୍ଲା ପ୍ରଶାସନକୁ ହାଫିଜ୍ ଓ ତା’ର ସଂଗଠନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେଉଁସବୁ ଅଞ୍ଚଳରେ ହାଫିଜ୍ର ସଂଗଠନଗୁଡ଼ିକ କାର୍ଯ୍ୟ କରୁଛନ୍ତି, ତା’ର ଏକ ଲିଷ୍ଟ ପ୍ରସ୍ତୁତ କରି ସେଗୁଡ଼ିକ କେମିତି ବନ୍ଦ ହେବ, ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏସବୁ କାର୍ଯ୍ୟାନୁଷ୍ଠାନ କେବଳ ଲୋକଦେଖାଣିଆ ଭାବେ ହେଉଛି କି, ସେନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।