ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ବିଲକୁଲ ସୁଧୁରିବନି ଚୀନ । ବାରମ୍ବାର ଭାରତୀୟ ସୀମାରେ ପ୍ରବେଶ କରୁଛି ପଡୋଶୀ ଚୀନ । ଭାରତ ଓ ଚୀନ ମଧ୍ୟରେ ଡୋକଲାମ ବିବାଦ ଜାରି ରହିଥିବା ବେଳେ ଭାରତୀୟ ସୀମାରେ ପ୍ରବେଶ କରି ଭାରତୀୟ ଯବାନଙ୍କୁ ଉସକାଇବାକୁ ପ୍ରୟାସ କରୁଛି ଚୀନ । ଏହା ମଧ୍ୟରେ ଭାରତର ସୀମାରେ ଦୁଇଥର ପ୍ରବେଶ କରିସାରିଲାଣି ଚୀନ । ଜାମ୍ମୁ କାଶ୍ମୀରର ଲେ ଲଦାଖ ଅଞ୍ଚଳରେ ଭାରତୀୟ ଆକାଶ ମାର୍ଗରେ ଚୀନର ଦୁଇ ଦୁଇଟି ହେଲିକପ୍ଟର ପ୍ରବେଶ କରିଛି ।
ସେପଟେ ଅରୁଣାଞ୍ଚଳ ପ୍ରଦେଶର ଭାରତୀୟ ସୀମାରେ ପ୍ରବେଶ କରିଛନ୍ତି ଚୀନର ଯବାନ । ଯାହା ଏବେ ଭାରତୀୟ ଯବାନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । ସକାଳ ୯ ଟା ସମୟରେ ଚୀନ ସୀମା ପାର ହୋଇ ୨ ଟି ହେଲିକପ୍ଟର ଭାରତୀୟ ସୀମାରେ ପ୍ରବେଶ କରିଥିବା ଭାରତୀୟ ତୀବତ ପୋଲିସ (ଆଇଟିବିପି)ର ରିପୋର୍ଟରୁ ଜଣାପଡିଛି । ଏହି ଦୁଇଟି ହେଲିକପ୍ଟର ଭାରତୀୟ ଆକାଶ ସୀମାରେ ପାଖାପାଖି ୫ ମିନିଟ ରହିବା ପରେ ଚାଲିଯାଇଥିଲେ । ତେବେ ହେଲିକପ୍ଟର ଦୁଇଟି ଏମଆଇ – ୧୭ ଭଳି ଦେଖାଯାଉଥିବା କୁହାଯାଉଛି ।
ସେପଟେ ହେଲିକପ୍ଟର ଅନୁପ୍ରବେଶ କରିଥିବା ସ୍ଥାନଟି ଭାରତୀୟ ସେନାଙ୍କ ନିମନ୍ତେ ରଣକୌଶଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଜଣାଯାଏ । ସେମାନେ ଭାରତର ରଣକୌଶଳ ଜାଣିବା ନିମନ୍ତେ ଅନୁପ୍ରବେଶ କରିଥିବା କୁହାଯାଉଛି । ହେଲେ ଏପରି ଗୁରୁତ୍ୱପୁର୍ଣ୍ଣ ସ୍ଥାନକୁ ବାହାର ଦେଶର ବିମାନ ଯିବା ଆସିବା କରିବା ସୁରକ୍ଷା ବ୍ୟବସ୍ଥାର ଚିନ୍ତା ବଢାଇଛି । ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେନା କହିଛି । ଅନ୍ୟପଟେ ଅରୁଣାଞ୍ଚଳ ରେ ମଧ୍ୟ ଚୀନ ସୈନ୍ୟ ପ୍ରବେଶକୁ ନେଇ ଭାରତୀୟ ସେନାକୁ ହଇରାଣରେ ପକାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।