ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶ୍ରାବଣ ମାସ ହୋଇଥିଲେ ସୁଦ୍ଧା ବର୍ଷା ବଦଳରେ ଟାଣ ଖରା ଅନୁଭବ ହେଉଛି । ଯାହାକୁ ନେଇ ଚିନ୍ତାରେ ଥିଲେ ଜନସାଧାରଣ । ଏବେ ପୁଣି ବର୍ଷା ହେବାର ସମ୍ଭାବନା ରହିଥିବା ଶୁଣିବା ପରେ ଟିକେ ଆଶ୍ୱସ୍ତି ହୋଇଛନ୍ତି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଭଲ ବର୍ଷା ହେବ।”ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା ଏହି ସୂଚନା ଦେଇଛନ୍ତି।
ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଘଡଘଡ଼ି ହେବାର ସମ୍ଭାବନା ରହିଛି। ଏହାସହ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି, ନବରଙ୍ଗପୁର, କନ୍ଧମାଳ, ଓ ନୟାଗଡ଼।” ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଆଜିଠୁ ୩ ଦିନ ଧରି ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସମୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ବଜ୍ରପାତ ସହ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ବର୍ଷା ଆରମ୍ଭରୁ କିଛି ଦିନ ବର୍ଷା ହେବା ପରେ ପୁଣି ଶୁଖିଲା ପାଗ ଅନୁଭବ ହୋଇଥିଲା । ଅସହ୍ୟ ଗରମ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିଲା । କିନ୍ତୁ ଏବେ ପୁଣିଥରେ ବର୍ଷା ଆସିବାରୁ ଟିକେ ଆଶ୍ୱସ୍ତି ମିଳିବ ବୋଲି ଅନୁମାନ କରାଯାଉଛି ।