ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାଜ୍ୟ ସରକାର ଲାଗୁକଲେ ସର୍ବକ୍ଷମା ଯୋଜନା । ୯ଟି ଉନ୍ନୟନ ପରିଷଦ ଲାଗି ଏହି ଯୋଜନା ଲାଗୁ ହୋଇଛି । ଏହି ଯୋଜନାର ସମୟ ସୀମା ୬ମାସ ରହିଥିବା ବେଳେ ଆବେଦନର ୨ମାସ ମଧ୍ୟରେ ଅନୁମତି ପାଇ ପାରିବେ । ଏହି ଘୋଷଣା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜ ପୂଜାରୀ । ବେଆଇନ ନିର୍ମାଣକୁ ଜରିମାନା ବଦଳରେ ସର୍ତ୍ତମୂଳକ ସ୍ୱିକୃତି ଦେବା ଯୋଜନା ଲକ୍ଷ । ତେଣୁ ବେଆଇନ ଘର, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ସଂସ୍ଥା ଗୁଡିକ ପାଇଁ ଏହା ଏକ ବେଶ ଖୁସି ଖବର । ଏହି ଯୋଜନା ଅନୁସାରେ, ଉଲଙ୍ଘନର ଭିନ୍ନ ଭିନ୍ନ ଫାଇନ ବ୍ୟବସ୍ଥା ରହିଛି । ଘର ତିଆରି ପ୍ଲାନର ଚାରିକାତା ନକଲ, ଅଗ୍ନି ନିରାପତ୍ତା ପ୍ରମାଣପତ୍ର ସହ ଆବେଦନ କଲେ ସବୁ ଆଇନମୋଦିତ ବେଆଇନ ନିର୍ମାଣକୁ ବୈଧ କରାଯିବ ।
300 ବର୍ଗମିଟର ପର୍ଯ୍ୟନ୍ତ ବାସଗୃହ କ୍ଷେତ୍ରରେ ଅନୁମୋଦିତ ପ୍ଲାନର ଉଲଂଘନ ଏବଂ ପାର୍କିଂ ଉଲଂଘନରେ ତାରତମ୍ୟ ଥିଲେ ନିର୍ଦ୍ଧାରିତ ଦୈୟ ପୈଠ କରି ନିୟମିତ କରାଯାଇ ପାରିବ । 300 ବର୍ଗମିଟରରୁ ଅଧିକ ପ୍ଲଟରେ ଅନୁମୋଦିତ ପ୍ଲାନ ଉଲଂଘନ ଏବଂ ପାର୍କିଂ ଉଲଂଘନ ନିୟମକୁ କୋହଳ କରି ନିୟମିତକରଣ କରାଯାଇପାରିବ ।
ଆବାସିକ ଆପାର୍ଟମେଣ୍ଟ କ୍ଷେତ୍ରରେ 50 ପ୍ରତିଶତ ପାର୍କିଂ ବ୍ୟବସ୍ଥା ରହିଥିଲେ ଏବଂ ୱେଲଫେୟାର ଆସୋସିଏସନର ସହମତି ରହିଥିଲେ ପ୍ଲାନ ଉଲଂଘନକୁ ନିୟମିତକରଣ କରାଯାଇପାରିବ । ସ୍ବାସ୍ଥ୍ୟ ସେବା ସହ ଜଡିତ ସଂସ୍ଥାଗୁଡିକ ପାଇଁ ମଧ୍ୟ ଏହି ଯୋଜନାରେ କୋହଳ ମାପଦଣ୍ଡର ବ୍ୟବସ୍ଥା କରାଯାଇଛି । ତେବେ ସରକାରୀ କିମ୍ବା କୌଣସି ପୌରାଞ୍ଚଳ ଜମି ଜବରଦଖଲ, ସର୍ବସାଧାରଣ ରାସ୍ତା, ପ୍ରାକୃତିକ ଡ୍ରେନର ଜବରଦଖଲ ହୋଇଥିଲେ ନିୟମିତକରଣ ହୋଇପାରିବ ନାହିଁ । ସେହିପରି ବିମାନବନ୍ଦର ଅଂଚଳ କିମ୍ବା ପ୍ରାକୃତିକ କିର୍ତ୍ତିରାଜୀ ଅଂଚଳରେ ଅନୁମୋଦିତ ପ୍ଲାନ ଉଲଂଘନକୁ ବୈଧ କରିବାକୁ ଏୟାରପୋର୍ଟ ଅଥୋରିଟି ଓ ସଂପୃକ୍ତ କିର୍ତ୍ତିରାଜୀ ସଂରକ୍ଷଣକାରୀ ସଂସ୍ଥାର ଏନଓସି ଆବଶ୍ୟକ ।
ମହାନଗର ନିଗମ ଅଂଚଳରେ ବାସୋପଯୋଗୀ ଘର ପାଇଁ ନିୟମିତକରଣ ଫି ବର୍ଗମିଟର ପିଛା 10ହଜାର ଟଙ୍କା ଏବଂ ବ୍ୟବସାୟୀକ କୋଠା ପାଇଁ 17ହଜାର 500 ଟଙ୍କା ଧାର୍ଯ୍ୟ ହୋଇଛି । ପୌରାଞ୍ଚଳରେ ବାସୋପଯୋଗୀ ଘର ପାଇଁ ନିୟମିତକରଣ ଫି 8ହଜାର ଟଙ୍କା ଏବଂ ବ୍ୟବସାୟୀକ କୋଠା ପାଇଁ 15ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ଏନଏସି ଅଂଚଳରେ ବାସୋପଯୋଗୀ ଘର ପାଇଁ ନିୟମିତକରଣ ଫି 6ହଜାର ଟଙ୍କା ଏବଂ ବ୍ୟବସାୟୀକ କୋଠା ପାଇଁ 13ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ସେହିପରି ଉନ୍ନୟନ କର୍ତ୍ତୃପକ୍ଷ ଅନ୍ତର୍ଗତ ଗ୍ରାମାଞ୍ଚଳରେ ନିୟମିତକରଣ ଫି ବର୍ଗମିଟରକୁ 5ହଜାର ଟଙ୍କା ଏବଂ ବ୍ୟବସାୟୀକ କୋଠା ପାଇଁ 10ହଜାର ଟଙ୍କା ଧାର୍ଯ୍ୟ ହୋଇଛି ।
ମହାନଗର ନିଗମ ଅଂଚଳରେ ନିୟମିତକରଣ ଫିର 40 ପ୍ରତିଶତ, ପୌରପରିଷଦ ଅଂଚଳରେ 30 ପ୍ରତିଶତ, ଏନଏସିରେ 20 ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ 10 ପ୍ରତିଶତ କମ୍ପାଉଣ୍ଡ ଫି ଆଦାୟ କରାଯିବ ।