ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଦୀର୍ଘ ଚାରି ମାସରୁ ଅଧିକ ସମୟ ହେବ ଭକ୍ତଙ୍କ ପାଇଁ ଧାର୍ମିକ ପୀଠ ଗୁଡିକ ବନ୍ଦ ରହିଛି । ଏହାରି ମଧ୍ୟରେ ଜମ୍ମୁ-କାଶ୍ମୀର ପ୍ରଶାସନ ଏକ ବଡ ନିଷ୍ପତି ନେଇଛି । ଅଗଷ୍ଟ ୧୬ ରୁ ପ୍ରଦେଶରେ ବନ୍ଦ ରହିଥିବା ସମସ୍ତ ଧାର୍ମିକ ସ୍ଥଳ ଖୋଲିବା ପାଇଁ ପ୍ରଶାସନ ନିଷ୍ପତି ନେଇଛି । ଏହାସହିତ ସିମିତ ସଂଖ୍ୟାର ଶ୍ରଦ୍ଧାଳୁଙ୍କୁ ନେଇ ବୈଷ୍ଣବଦେବୀଙ୍କ ଯାତ୍ରା ଆରମ୍ଭ କରାଯିବ ବୋଲି କୁହାଯାଉଛି ।
ଜମ୍ମୁ-କାଶ୍ମୀରର ପ୍ରମୁଖ ସଚିବ ରୋହିତ କଂସଲ କହିଛନ୍ତି କି, ୧୬ ଅଗଷ୍ଟ ୨୦୨୦ ରୁ ଜମ୍ମୁ କାଶ୍ମୀରରେ ସମସ୍ତ ଧାର୍ମିକ ସ୍ଥଳ ଏବଂ ପୂଜା ସ୍ଥଳ ଖୋଲିବାର ନିର୍ଣ୍ଣୟ ନିଆଯାଇଛି । ହୁଏତ ବର୍ତ୍ତମାନ ବଡ ବଡ ଧାର୍ମିକ ଆୟୋଜନ ଉପରେ କଟକଣା ରହିବ, ଯାହାଦ୍ୱାରା କରୋନା ସଂକ୍ରମଣର ବିପଦ ନସୃଷ୍ଟି ହେଉ । ସେହିପରି ଯାତ୍ରା ଏବଂ ଧାର୍ମିକ ସ୍ଥଳ ପାଇଁ ଅଲଗା ଅଲଗା ଏସଓପି ଜାରି କରାଯିବ ।
କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କାଶ୍ମୀରରେ ଅନଲକ୍୩ ର ଗାଇଡଲାଇନ୍ ଜାରି କରାଯାଇଛି । ଏହି ନିର୍ଦେଶ ଆଗାମୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂତନ ଦିଶାନିର୍ଦ୍ଦେଶରେ ସର୍ବପ୍ରଥମେ ଜମ୍ମୁ-କାଶ୍ମୀରରେ ଧାର୍ମିକ ସ୍ଥଳ ଖୋଲିବାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।