ପୁରୀ (ଏଟିଆର ବ୍ୟୁରୋ): ମହାପ୍ରଭୁଙ୍କ ଲୀଳା ଅପୂର୍ବ । ତାଙ୍କର ୧୨ ମାସରେ ପାଳିତ ହୁଏ ତେର ପର୍ବ । ସେଥିମଧ୍ୟରୁ ରଥ ଯାତ୍ରା ପ୍ରଧାନ । ରଥଯାତ୍ର ଅବସରରେ ଶ୍ରୀଜିଉଙ୍କ ବିଭିନ୍ନ ସେବା ପାଇଁ ଭିନ୍ନ ଭିନ୍ନ ସେବକ ରହିଥାନ୍ତି । ଖାସ୍ କରି ରଥ ଗଡିଲା ସମୟରେ ମହାପ୍ରଭୁଙ୍କ ଚଳନ୍ତି ସାରଥୀ ହେଉଛନ୍ତି ଡାହୁକ । ରଥ ଗଡିବା ପୂର୍ବରୁ ଡାହୁକମାନେ ଚିତାକର୍ଷକ ଗୀତ ବୋଲି ବେତ ହଲାଇ ଥାନ୍ତି । ଯାହାକୁ ‘ଡାହୁକ ବୋଲି’ ମଧ୍ୟ କୁହାଯାଏ । ଡାହୁକ ମାନଙ୍କ ଦ୍ୱାରା ବୋଲା ଯାଉଥିବା ଗୀତକୁ ଡାହୁକ ‘ବୋଲି’ କୁହାଯାଏ । ଡାହୁକଙ୍କ ବିନା ବୋଲିରେ ରଥ ଆଗାକୁ ଗଡେ ନାହିଁ । ରଥଟଣା ସମୟରେ ଏହି ଡାହୁକ ଗୀତ ମୁଖ୍ୟ ଭୂମିକା ନିର୍ବାହ କରି ଆସିଛି ।
ଡାହୁକ ମାନେ ଗୀତ ଗାଇ ସାରିବା ପରେ ଅଗଣିତ ଜନସମୁଦ୍ରର ଅପୂର୍ବ ଶିହରଣ ଖେଳିଯାଏ । ପରେ ପରେ ଘଣ୍ଟ, ମାର୍ଦଳ, ତୁରୀ, ଝାଞ୍ଜ ମୃଦଙ୍ଗ, କାହାଳୀ, ହରିବୋଲ, ହୁଳହୁଳି ନାଦରେ ରଥ ଗଡିବା ଆରମ୍ଭ ହୋଇଥାଏ ।
ପରମ୍ପରା ମୁତାବକ, ନେତ୍ରଉତ୍ସବରେ ରଥଖଳାରୁ ରଥକୁ ସିଂହାସନ ନେବା ସମୟରେ, ଶ୍ରୀଗୁଣ୍ଡିଚା, ବାହୁଡା, ଦକ୍ଷିଣମୋଡ ବେଳେ ରଥ ଟଣାରେ ଡାହୁକ ମାନେ ସେମାନଙ୍କ ସେବା କରିବା ସହ ଡାହୁକ ଗୀତ ଗାନ କରିଥାନ୍ତି ।
ପୂର୍ବରୁ ଡାହୁକ ବୋଲିରେ ଅଶ୍ଳୀଳତାକୁ ନେଇ ବିବାଦ ଉପୁଜିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଏହାର ପରିବର୍ତ୍ତନ କରାଯାଇଛି ।