ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଯୋଧ୍ୟାରେ ଅଗଷ୍ଟ ୫ ତାରିଖରୁ ଶ୍ରୀରାମ ମନ୍ଦିର ଭୂମି ପୂଜା ସହିତ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସେହିଅନୁଯାୟୀ ରାମ ଜନ୍ମଭୂମି ପରିସରରେ ମୂଳଦୁଆ କାମ ଜାରି ରହିଛି । ଏହାସହିତ ରାମମନ୍ଦିର ନିର୍ମାଣ କାର୍ଯ୍ୟଶାଳାରେ ଖୋଦେଇ ହୋଇ ରଖାଯାଇଥିବା ପଥରକୁ ପରିସର ପର୍ଯ୍ୟନ୍ତ ନେବାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଲଆଣ୍ଡଟି କମ୍ପାନୀ ଏବଂ ଟ୍ରଷ୍ଟର ପଦାଧିକାରୀଙ୍କ ଦ୍ୱାରା ବିଧିବଧ ଭାବେ ପଥରକୁ ପୂଜା ପାଠ କରାଯାଇ ରାମମନ୍ଦୀର ପରିସରକୁ ଅଣାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏବଂ ଏଲଆଣ୍ଡଟି କମ୍ପାନୀର ପଦାଧିକାରୀମାନେ ବୈଦିକ ରୀତି-ନୀତି ଦ୍ୱାରା ପୂଜା-ପାଠ କରିବା ପରେ କାର୍ଯ୍ୟଶାଳାରୁ ପଥରକୁ ଟ୍ରକରେ ଲଦି ରାମ ଜନ୍ମଭୂମି ପରିସରକୁ ପଠାଇଥିଲେ । କାର୍ଯ୍ୟଶାଳାରେ ଖୋଦେଇ ହୋଇ ରଖାଯାଇଥିବା ପଥରକୁ ଟ୍ରକରେ ଲଦିବା ପାଇଁ କ୍ରେନର ପ୍ରୟୋଗ କରାଯାଇଥିଲା ।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟା ପଦାଧିକାରୀ ଡା. ଅନୀଲ ମିଶ୍ରା କହିଛନ୍ତି କି, କାର୍ଯ୍ୟଶାଳାରେ ରଖାଯାଇଥିବା ପଥରକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମିଛି । ଏହି ପଥରକୁ ଶୁକ୍ରବାର ଦିନ ଶ୍ରୀରାମଜନ୍ମ ଭୂମି ପରିସରରେ ପହଁଚା ଯାଇଛି । କାର୍ଯ୍ୟଶାଳାରୁ ଯେଉଁ ପଥର ରାମଜନ୍ମ ଭୂମି ପରିସରକୁ ନିଆଯାଉଛି ତାକୁ ସଫା ସୁତୁରା କରି କୋଡିଙ୍ଗ କରି ରଖାଯିବ । ଏହାପରେ ସଠିକ୍ ସ୍ଥାନରେ ପଥର ଲଗାଯିବ ।