ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି କରୱାଚୌଥ ବ୍ରତ । ସାରା ଦିନ ବ୍ରତ ରଖିବା ପରେ ସନ୍ଧ୍ୟାରେ ମହିଳାମାନେ ଚାନ୍ଦ ଦେଖି ପାରଣ କରିଥାନ୍ତି । ଏହି ବ୍ରତ କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଏହାସହିତ ଘରେ ସମୃଦ୍ଧି ଏବଂ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।
ଚଳିତବର୍ଷ କରୱାଚୌଥ ବ୍ରତର ବିଶେଷ ମହତ୍ୱ ରହିଛି । ଚଳିତବର୍ଷ କରୱାଚୌଥ ବ୍ରତ ଦିନ ଅନେକ ଯୋଗର ସଂଯୋଗ ରହିଛିି । ଦୀର୍ଘ ୪୬ ବର୍ଷ ପରେ ଏଭଳି ଦୁର୍ଲଭ ସଂଯୋଗ ରହିଛି । ଏହାସହିତ ଗ୍ରହମାନଙ୍କ ସ୍ୱତନ୍ତ୍ର ସ୍ଥିତି ରହିଛି । ଯାହାଫଳରେ ଏହିଦିନର ମହତ୍ୱ ଦୁଇ ଗୁଣା ହୋଇଯାଇଛି । ଯାହାର ପ୍ରଭାବରେ ସଧବାନାରୀମାନଙ୍କୁ ଶୁଭ ଫଳ ପ୍ରାପ୍ତି ହେବ । କରୱାଚୌଥରେ ସର୍ବାର୍ଥ ସିଦ୍ଧି, ବୁଦ୍ଧାଦିତ୍ୟ ଏବଂ ମହାଲକ୍ଷ୍ମୀ ଯୋଗ ରହିଛି ।
ବୈବାହିକ ଜୀବନରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ଗୁରୁ ଏବଂ ଶୁକ୍ର ଗ୍ରହ । ସେହିପରି କରୱାଚୌଥରେ ବୃହସ୍ପତି ନିଜ ରାଶିରେ ରହିବା ହେତୁ ପତି-ପତ୍ନୀଙ୍କୁ ସୁଖୀ ଦମ୍ପତ୍ୟ ଜୀବନ ଏବଂ ସୌଭାଗ୍ୟ ପ୍ରାପ୍ତି ହେବ ।
ସେହିପରି କାର୍ତ୍ତିକ ମାସର ଚତୁର୍ଥୀ ତିଥି ଅକ୍ଟୋବର ୧୩ ସକାଳ ୦୧ ଟା ୫୯ ମିନିଟ୍ ରୁ ଆରମ୍ଭ ହେବ । ଚତୁର୍ଥି ତିଥି ଅକ୍ଟୋବର ୧୪ ସକାଳ ୩ ଟା ୦୮ ରେ ଶେଷ ହେବ ।
ପୂଜା ମୂହୁର୍ତ୍ତ:- ଶୁଭ ମୁହୂର୍ତ୍ତରେ ହିଁ କରୱାଚୌଥ ପୂଜା କରିବା ଉଚିତ୍ । ସନ୍ଧ୍ୟା ୬ଟାରୁ ରାତି ୭ଟା ୧୫ ମିନିଟ ଯାଏଁ ପୂଜା କରାଯାଇ ପାରିବ ।
ଚନ୍ଦ୍ରମା ବାହାରିବାର ସମୟ: କରୱାଚୌଥରେ ଚନ୍ଦ୍ରମା ପୂଜାର ବିଶେଷ ମହତ୍ୱ ରହିଛି । ସେଥିପାଇଁ ବ୍ରତଧାରୀମାନେ ସନ୍ଧ୍ୟାରେ ଚନ୍ଦ୍ରମା ବାହାରିବା ସମୟକୁ ଅପେକ୍ଷା କରି ବସିଥାନ୍ତି । ଚଳିତ କରୱାଚୌଥରେ ରାତି ୮ଟା ୧୯ ମିନିଟରେ ଚନ୍ଦ୍ରମା ଦେଖାଦେବେ ।