ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ । ଗତକାଲି ମହାପ୍ରଭୁଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଥିଲା । ଏହାପରେ ଆଜି ରହିଛି ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ।
ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଥାଏ । ମଧ୍ୟାହ୍ନ ଧୂପ ଶେଷ ହେବା ପରେ ବଡଠାକୁର ବଳଭଦ୍ରଙ୍କୁ ବଳରାମ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରିକୃଷ୍ଣ ଏବଂ ଦେବୀ ସୁଭଦ୍ରା ଯୋଗମାୟା ବେଶରେ ସୁସଜ୍ଜିତ ହୋଇଥାନ୍ତି । ଏହି ବେଶରେ ପ୍ରାୟତଃ ୨୫ ପ୍ରକାରର ବେଶ ସାମଗ୍ରୀ, ୧୪ଟି ବିଭିନ୍ନ ମୂର୍ତ୍ତି ସିଂହାସନ ଉପରେ ରଖାଯାଇଥାଏ । ଏହି କୃଷ୍ଣ ବଳରାମ ବେଶ ଖୁବ୍ ଆକର୍ଷଣୀୟ ହୋଇଥାଏ । ଉକ୍ତ ବେଶରେ ଶ୍ରୀଜଗନ୍ନାଥ, ବଳଭଦ୍ରଙ୍କ ୨ ଟି ହସ୍ତ ଏବଂ ସୁଭଦ୍ରାଙ୍କ ୪ ଟି ହସ୍ତ ହୋଇଥାଏ । ସେହିପରି ମହାପ୍ରଭୁ ଜଗନ୍ନାଥ ଏବଂ ଭାଇ ବଳଭଦ୍ର ଛନ୍ଦ ପୟର ଭଙ୍ଗୀରେ ଦଣ୍ଡାୟମାନ ହୋଇଥାନ୍ତି । କିନ୍ତୁ ଦେବୀ ସୁଭଦ୍ରା ରତ୍ନ ସିଂହାସନ ଉପରେ ଖଞ୍ଜା ହୋଇଥିବା କାଠ ସିଂହାସନ ଉପରେ ଉପବେଶନ ଭଙ୍ଗିରେ ବସିଥାନ୍ତି ।
ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହୋଇଥିବା ଏହି ବେଶ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ରହିଥାଏ ।