ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ହିନ୍ଦୁ ଧର୍ମରେ ଲୋକେ ପୂଜାପାଠ ଉପରେ ବିଶେଷ ଗୁରୁତ୍ୱ ଦେଇଥାନ୍ତି । ଏହାସହିତ ଦେଶରେ ଅନେକ ଗୁଡିଏ ମନ୍ଦିର ରହିଥିବା ବେଳେ ବାରଣାସୀରେ ଶହ ଶହ ମନ୍ଦିର ରହିଛି । ସେଥିମଧ୍ୟରୁ ପୁରାତନ ରତ୍ନେଶ୍ୱର ମହାଦେବ ମନ୍ଦିର ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ମନ୍ଦିରର ସ୍ୱତନ୍ତ୍ରତା ହେଉଛି କି ପ୍ରାୟତଃ ୪୦୦ ବର୍ଷରୁ ୯ ଡିଗ୍ରୀ ଆଙ୍ଗଲରେ ନଇଁକି ରହିଛି ମନ୍ଦିର । ମଣିକର୍ଣ୍ଣିକା ଘାଟ ତଳେ ଅବସ୍ଥିତ ରତ୍ନେଶ୍ୱର ମହାଦେବ ମନ୍ଦିର । ଏହି କାରଣ ପାଇଁ ଏହି ମନ୍ଦିର ବର୍ଷକରେ ୮ ମାସ ଗଙ୍ଗାଜଳରେ ଅଧା ବୁଡିକି ରହିଥାଏ ।
ଏହି ମନ୍ଦିରର ଅନେକ ରହସ୍ୟ ରହିଛି । ମନ୍ଦିରଟି ମଣିକର୍ଣ୍ଣିକା ଘାଟ ତଳେ ଅବସ୍ଥିତ । ଯେଉଁ କାରଣରୁ ଗାଙ୍ଗା ପାଣି ବଢିବା ଦ୍ୱାରା ଏହି ମନ୍ଦିର ୬ ରୁ ୮ ମାସ ଯାଏଁ ପାଣିରେ ବୁଡିକି ରହିଥାଏ । ବେଳେ ବେଳେ ମନ୍ଦିରର ପାଣି ଶିଖର ଉପର ପର୍ଯ୍ୟନ୍ତ ରହିଥାଏ । ଏଭଳି ସ୍ଥିତିରେ ମନ୍ଦିରରେ କେବଳ ମହାଦେବଙ୍କୁ କେବଳ ୩ ରୁ ୪ ମାସ ପୂଜା କରାଯାଇଥାଏ । ୬ ରୁ ୮ ମାସ ଯାଏଁ ଏହି ମନ୍ଦିର ପାଣି ଭିତରେ ରହିବା ପରେ ମଧ୍ୟ ଏହାର କୌଣସି କ୍ଷତି ହୋଇନଥାଏ ।
୧୮୫୭ ରେ ଅମେଠିର ରାଜ ପରିବାର ଏହି ମନ୍ଦିର ନିର୍ମାଣ କରି୍ଥିଲେ । ଏହି ମନ୍ଦିରକୁ ନେଇ ଅନେକ ପୌରାଣିକ କାହାଣୀମାନ ମଧ୍ୟ ରହିଛି । କୁହାଯାଏ କି ଅହିଲ୍ୟାବାଇ ହୋଲକର ତାଙ୍କ ଶାସନ କାଳରେ ବନାରସ ଆଖପାଖରେ ଅନେକ ମନ୍ଦିର ନିର୍ମାଣ କରିଥିଲେ । ଅହିଲ୍ୟାବାଇଙ୍କର ରତ୍ନାବାଇ ନାମରେ ଜଣେ ଦାସୀ ଥିଲେ । ସେ ମଣିକର୍ଣ୍ଣିକା ଘାଟ ନିକଟରେ ଏକ ଶିବ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ । ଏଭଳି କ୍ଷେତ୍ରରେ ସେ ତାଙ୍କ ନିକଟରେ ଥିବା କିଛି ଟଙ୍କାରେ ଏବଂ ଅହିଲ୍ୟାବାଇଙ୍କଠୁ କିଛି ସାହାଯ୍ୟ ନେଇ ମନ୍ଦିର ନିର୍ମାଣ କରିଦେଲେ । କିନ୍ତୁ ଯେତେବେଳେ ମନ୍ଦିରର ନାମାକରଣର ସମୟ ଆସିଲା ରତ୍ନାବାଇ ଏହାକୁ ନିଜ ନାଁ ଦେବାକୁ ଚାହୁଁଥିଲେ । ମାତ୍ର ଏହାକୁ ବିରୋଧ କରୁଥିଲେ ଅହିଲ୍ୟାବାଇ । ଏହାପରେ ମଧ୍ୟ ରାଣୀ ଆହିଲ୍ୟାବାଇଙ୍କ ବିରୋଧରେ ଯାଇ ରତ୍ନାବାଇ ଏହି ମନ୍ଦିରର ନାଁ ‘ରତ୍ନେଶ୍ୱର ମହାଦେବ’ ରଖିଥିଲେ । ଯେତେବେଳେ ଏହି କଥା ଅହିଲ୍ୟାବାଇ ଜାଣିବାକୁ ପାଇଲେ ସେତେବେଳେ ସେ କ୍ରୋଧିତ ହୋଇ ଶ୍ରାପ ଦେଇଦେଲେ । ଯାହାଫଳରେ ମନ୍ଦିର ବଙ୍କା ହୋଇଗଲା ।
ଆଉ ଏକ କାହାଣୀ ଅନୁଯାୟୀ, ଜଣେ ସନ୍ଥ ବାନାରସର ରାଜାଙ୍କୁ ଏହି ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ମାଗିଥିଲେ । କିନ୍ତୁ ଏହାକୁ ସିଧା ସିଧା ମନା କରିଦେଲେ ରାଜା । ରାଜଙ୍କର ଏହି କଥା ଉପରେ ସନ୍ଥ କ୍ରୋଧିତ ହୋଇଗଲେ ଏବଂ ମନ୍ଦିର କଦାପି ପୂଜା ଯୋଗ୍ୟ ରହିବ ନାହିଁ ବୋଲି ଶ୍ରାପ ଦେଇଥିଲେ ।