ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣର ୧୨ ଟି ଟେଷ୍ଟ ପିଲର ପ୍ରସ୍ତୁତ ହୋଇଛି । ଏବେ ୨୮ ଦିନ ପରେ ଆଇଆଇଟି ଚେନ୍ନାଇ ବିଶେଷଜ୍ଞଙ୍କ ଦ୍ୱାରା ଏହାର ଭାରର କ୍ଷମତା ଯାଞ୍ଚ କରାଯିବ । ଏହାପରେ ରାମମନ୍ଦିର ପାଇଁ ୧୨୦୦ ସ୍ତମ୍ଭର ନିର୍ମାଣ କାମ ଆରମ୍ଭ କରାଯିବ ।
କାର୍ଯ୍ୟକାରୀ ସଂସ୍ଥା ଏଲଆଣ୍ଡଟି ର ବିଶେଷଜ୍ଞଙ୍କ ମତରେ ୨୦୨୧ ମସିହା ଜୁନ୍ ମାସ ସୁଧା ଫାଉଣ୍ଡେସନ ନିର୍ମାଣ ପୁରା କରିବାର ଲକ୍ଷ୍ୟ ରହିଛି । ଏହା ଅନ୍ତର୍ଗତ ୧୩ ହଜାର ବର୍ଗ ମିଟର କ୍ଷେତ୍ରଫଳରେ ଏକ ମିଟର ବ୍ୟାସର ୧୨୦୦ ସ୍ତମ୍ଭ ଏକ ଶହ ଫୁଟ ଗଭୀରରେ ତିଆରି କରାଯିବ । ପାଖାପାଖି ଏକ ଶହ ମିଟର ଦୂରତାରେ ୪-୪ ସ୍ତମ୍ଭର ୩ ଟି ସେଟ୍ ପ୍ରସ୍ତୁ କରାଯାଇଛି । ଏବେ ଏହାର କ୍ଷମତା ପରୀକ୍ଷଣ କରାଯିବ । ସେଥିପାଇଁ ଆଇଆଇଟି ଚେନ୍ନାଇର ବିଶେଷଜ୍ଞମାନେ ଏହାର ଯାଞ୍ଚ କରିବେ । ଯାଞ୍ଚ ପରେ ବିଶେଷଜ୍ଞଙ୍କ ଗ୍ରୀନ ସିଗନାଲ ମିଳିବା ପରେ ମୂଳ ଫାଉଣ୍ଡେସନର କାମ ଆରମ୍ଭ ହୋଇଯିବ ।
ଏନେଇ ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଡା. ଅନିଲ ମିଶ୍ରା କହିଛନ୍ତି କି, ରାମ ମନ୍ଦିର ପାଇଁ ୧୨ ଟି ଟେଷ୍ଟ ପିଲର ପ୍ରସ୍ତୁତ ହୋଇ ସାରିଛି । ଅକ୍ଟୋବର ୧୫ ପରେ ଏହାର ଭାର କ୍ଷମତା ଯାଞ୍ଚ କରାଯିବ ।