ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରୁ ଏହା ଅନ୍ୟତମ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଏନେଇ ଉତ୍ସବମୁଖର ହୋଇ ଉଠିଛି ପୁରପଲ୍ଲୀ । ଚାରିଆଡେ ଖାଲି ଭକ୍ତିମୟ ପରିବେଶ । ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।
ସନ୍ଧ୍ୟାଧୂପ ଶେଷ ହେବା ପରେ ଜୟ ବିଜୟ ଦ୍ୱାର ବନ୍ଦ ହେବ । ଏହାପରେ ଭିତର କାଠ ସମ୍ମୁଖକୁ ପୋଛା ମାରିବେ ସୁଦୁସୁଆର । ପୁଣି ପୂଜାପଣ୍ଡା ସେବକ ପଞ୍ଚ ମୁରଜରେ ସର୍ବତ୍ର ଇନ୍ଦ୍ରମଣ୍ଡଳ କାଟିବେ । ପୂଜାପଣ୍ଡା ବସ୍ତ୍ରରେ ଗୃହ ନିର୍ମାଣ କରିବା ସହିତ ଦ୍ୱାରଦେଶରେ ଦୁଇ ଜଣ ଦ୍ୱାରପାଳ ମୂଷଳାୟୁଧ ଧାରଣ କରି ଦଣ୍ଡାୟମାନ ହୋଇଥିବା ଚିତ୍ର ଅଙ୍କା ଯିବ । ସେଥିରେ ଷଷ୍ଠୀ ଦେବୀ ଅବସ୍ଥାନ କରନ୍ତି । ଏହାପରେ ଶ୍ରୀକୃଷ୍ଣ ସର୍ବତ୍ର ଭଦ୍ରମଣ୍ଡଳ ଅଙ୍ଗନ କରାଯିବ । ଏହି ଶ୍ରୀମନ୍ଦିରରେ ଗୋଟେ ପରେ ଗୋଟେ ନୀତି ଅନୁଷ୍ଠିତ ହେବ ।
ସେପଟେ ଜନ୍ମଷ୍ଟମୀ ପାଇଁ ଗତକାଲି ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା ।ସନ୍ଧ୍ୟା ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇଥିଲା ।ଟେରା ବନ୍ଧା ହୋଇ ଅଣସର ପିଣ୍ଡିରେ ରୋଷଘରୁ ଜେଉଡ ଭୋଗ ଆସି ଶ୍ରୀଛାମୁରେ ରଖାହୋଇଥିଲା । ଜେଉଡ ଭୋଗ ଲାଗି ହେବା ପରେ ମୁଦିରସ୍ତ ସେବକ ଓ ପୂଜାପଣ୍ଡା ପତିମହାପାତ୍ର ତିନି ବାଡରେ ବନ୍ଦାପନା କରିଥିଲେ ଯାହାକୁ ବର୍ଭଉଦକ ବନ୍ଦାପନା ବୋଲି କୁହାଯାଏ ।