ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ଯୁଗ ବଦଳୁଛି ଯୁଗ ସହିତ ତାଳଦେଇ ମଣିଷ ବି ବଦଳୁଛି । ଏଇ ବଦଳିବା ଭିତରେ ଅନେକ ଅଛି ପଛରେ ଛାଡି ଆସିଛି ମଣିଷ । ଯେମିତି ଚିଠି । ଆଜିର ଏହି ଡିଜିଟାଲ ଦୁନିଆରେ ଚିଠି ଏକ ପ୍ରକାର ଅଦୃଶ୍ୟ ହେବାକୁ ବସିଲାଣି । କାଁ ଭା ଅଫିସିଆଲ ଛାଡି ଦେଲେ ଚିଠି ଲେଖା ଏକ ପ୍ରକାର ବୁଡି ଗଲାଣି । ଆଉ କେହି ଆଗ ଭଳି କାଗଜ କଲମ ଟିଏ ଧରି ଘଣ୍ଟା ଗଣ୍ଟା ଚିନ୍ତା କରି ଚିଠି ଲେଖିବାକୁ ପସନ୍ଦ କରୁନାହିଁ । ପ୍ରେମି ପ୍ରେମିକା ତ ବିଲକୁଲ ବି ନୁହେଁ । “ ଚଟ ମଙ୍ଗନି ପଟ ବିହା’’ ନ୍ୟାୟରେ ଏବେ ସମସ୍ତେ ବିଶ୍ୱାସ କରୁଛନ୍ତି । ଆଉ ସବୁଠାରୁ ବଡ କଥା ହେଲା ଭାବନାକୁ ପ୍ରକାଶ କରିବା ପାଇଁ ଏବେ ଡିଜିଟାଲ ପ୍ଲାଟଫର୍ମରେ ଏତେ ଇମୋଜି ବାହାରି ଗଲାଣି ଯେ ଆଉ ପ୍ରେମିକ ପ୍ରେମିକାକୁ ଆଇଲଭୟୁ ବି କହିବାକୁ ପଡୁନାହିଁ । ବାସ ଖାଲି ଗୋଟେ ହାର୍ଟବାଲା ଇମୋଜି ପଠେଇ ଦେଲେ ସରିଗଲା ।
ସେହିଭଳି ଯଦି ବୋଉ ଉପରେ ଆମେ ରାଗିଛେ ବୋଲି ଜଣାଇବାକୁ ଚାହୁଁଛୁ ତାହେଲେ ରାଗିଥିବା କୌଣସି ଏକ ଷ୍ଟିକର ବା ଇମୋଜି ପଠାଇ ଦେଉଛେ । ଯାହା ବହୁତ ସହଜ ହେଉଛି । ମାତ୍ର ଏହା ଭିତରେ ଆଉ ଗୋଟେ କଥା ବେଳେ ବେଳେ ମନକୁ ଆନ୍ଦୋଳିତ କରେ ବାସ୍ତବରେ ଆମେ ପଠାଇଥିବା ମାତ୍ର ଛୋଟିଆ ଇମୋଜି ଟା କଣ ଆମ ଏତେବଡ ଭାବନାକୁ ପରିପ୍ରକାଶ କରିଦେଲା ? ବିପକ୍ଷ ଲୋକ କଣ ସତରେ ବୁଝିଗଲା ଆମ ମନ କଥା? ଯଦି ବୁଝିଗଲା ସେ ଆମ କଥାରେ ବିଚଳିତ ନୁହେଁ କାହିଁକି ? କାହିଁକି ସେ ନିରବ? ଏମିତି ଅନେକ ପ୍ରଶ୍ନର ଭିଡ ଭିତରେ ଆମେ ଠିଆ ହୋଇ ପଡୁ । ଯଦି ଜଣକୁ ଆମେ ଏତେ ନିଜର ବୋଲି ଭାବୁଛେ ତାହେଲେ କାହିଁକି ଆମେ ଆମ ଭାବନାକୁ ଏତେ ଛୋଟ ଆକାରରେ କରିବା ।