ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଗରୁ ଶୋଇ ରହିବେ । ନିର୍ବାଚନ ଆସିଲେ ନିଦ ଭାଙ୍ଗିବ । ଅମୁକ ସମୁକ ଯୋଜନା କରି ଲୋକଙ୍କୁ ନିଜ ଆଡକୁ ଟାଣିବେ । ଏମିତି ରାଜନୀତିରେ ପୂରା ଓସ୍ତାଦ ବିଜେଡି ସରକାର । ଆମେ ଏଥିପାଇଁ ଏ ପ୍ରସଙ୍ଗ ଉଠାଇଛୁ କାରଣ କାଳିଆ ଯୋଜନା ନାଁରେ ଏବେ ବାଜି ଲାଗିଛି ରାଜ୍ୟର ଜରୁରୀ କାଳୀନ ପାଣ୍ଠି । ସାଧାରଣ ନିର୍ବାଚନକୁ ଆଉ ମାତ୍ର ୩ମାସ ବାକି ।
ଠିକ୍ ଏତିକି ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଖେଳିଛନ୍ତି ସାଙ୍ଘାତିକ ଗେମ । କୃଷକଙ୍କୁ ୧୦ହଜାର ଟଙ୍କା ଓ ଭୂମିହୀନ କୃଷକଙ୍କୁ ୧୨ ହଜାର ୫ଶହ ଟଙ୍କା ମିଳିବାର ଥୋପ ପକାଯାଇଛି । ସବୁଠୁ ବଡ଼ କଥା ହେଉଛି ଏହି ଯୋଜନା ଲାଗି କୌଣସି ବଜେଟ ପ୍ରସ୍ତୁତ ହୋଇନାହିଁ । କିନ୍ତୁ ଏପରିସ୍ଥଳେ ରାଜ୍ୟ ସରକାର କୋଟି କୋଟି ଟଙ୍କା ପାଣି ଭଳି ବୋହି ଚାଲିଛନ୍ତି । ପ୍ରଶ୍ନ ଉଠିବା ସ୍ୱାଭାବିକ ଏହି କାଳିଆ ଯୋଜନା ଲାଗି ରାଜ୍ୟ ସରକାର ଏତେ ଟଙ୍କା ଆଣିଲେ କେଉଁଠୁ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠି ବାଜି ଲାଗିଛି ଜରୁରୀ କାଳୀନ ପାଣ୍ଠି ।
ଏହି ଫଣ୍ଡରୁ ହଜାର ହଜାର କୋଟି ଟଙ୍କା ଉଠାଇଛନ୍ତି ରାଜ୍ୟ ସରକାର । କେବଳ ଭୋଟ ଲୋଭରେ ରାଜ୍ୟ ସରକାର ଏହି ପାଣ୍ଠିର ଦୂରୁପଯୋଗ କରିଛନ୍ତି । ଏ କଥା ପଲ୍ଲୀରୁ ନେଇ ଦିଲ୍ଲୀ ଯାଏଁ ଚର୍ଚ୍ଚା । ଇଂରାଜୀ ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ନାଓରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ଏହି ଚକ୍ରାନ୍ତ ପଦାକୁ ଆସିଛି । ଗତକାଲି ସମାନ ପ୍ରସଂଗ ଉଠାଇବା ସହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ।
ରାଜ୍ୟ ସରକାର କାଳିଆ ଯୋଜନାରେ ଜରୁରୀ କାଳୀନ ପାଣ୍ଠିର ଦୁରୂପଯୋଗ କରିଛନ୍ତି । ଏହି ବ୍ୟୟବହୁଳ ଯୋଜନା ଲାଗି ୧୦,୧୮୦କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ସୂଚନାଯୋଗ୍ୟ, ବାତ୍ୟା ବନ୍ୟା, ସୁନାମୀ ଭଳି ପ୍ରାକୃତିକ ଦୁର୍ବିପାକ ଲାଗି ରହିଥାଏ ଏହି ଜୁରୁରୀ କାଳୀନ ପାଣ୍ଠି । ହେଲେ ର୍ଦୁଭାଗ୍ୟ ଏହି ପାଣ୍ଠି ଅର୍ଥ ଏବେ ଭୋଟ ପାଇଁ ଖର୍ଚ୍ଚ ଚାଲିଥିବା ଅଭିଯୋଗ ଉଠିଛି ।
ରିପୋର୍ଟ କହୁଛି ଏଯାବତ ୭୩୪,୬୬,୦୦,୦୦୦ ଟଙ୍କା ପାଣ୍ଠିରୁ ଚଳୁ ହେଲାଣି । ଏଭଳି ସମୟରେ ଯଦି କୌଣସି ଅଘଟଣ ଆସେ, ତେବେ ତାକୁ କିଭଳି ସାମ୍ନା କରିହେବ ସେ କଥା ମା’ ଗଙ୍ଗେଇ ଜାଣନ୍ତି । ସେପଟେ ରାଜ୍ୟ ଉପରେ ଏବେ ୯୧,୯୪ , ୩୦, ୦୦୦ ଟଙ୍କା ଋଣ ବୋଝ ରହିଛି । ତାକୁ କମାଇବା ବେଳକୁ ଚିନ୍ତା ନାହିଁ । ହେଲେ ଏପଟେ ନିର୍ବାଚନ ପାଇଁ ଯୋଜନା ପରେ ଯୋଜନା କରି ପାଣ୍ଠି ଟଙ୍କା ହରିଲୁଟ କରିବାରେ ବ୍ୟସ୍ତ ରାଜ୍ୟ ସରକାର । ତେଣୁ କେବଳ ଭୋଟ ପାଇଁ ଏହି ନାଟ ବୋଲି ଏବେ ସାଧାରଣରେ ମତ ପ୍ରକାଶ ପାଇଛି ।