ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଭାରତୀୟ ଖେଳାଳିଙ୍କ ଖାଇବା ମେନୁରୁ ଗୋମାଂସକୁ ହଟାଇବାକୁ କହିଲା ଭାରତ । ଭାରତୀୟ ଦଳ ଅଷ୍ଟ୍ରେଲିଆ ଗ୍ରସ୍ତରେ ଯିବା ପୂର୍ବରୁ ସେଠାକାର ସ୍ଥିତି ନିରୀକ୍ଷଣ ପାଇଁ ଏକ ଟିମ ଯାଇଥିବା ବେଳେ ଭାରତୀୟ ଖେଳାଳୀଙ୍କ ମେନୁରୁ ଗୋମାଂସକୁ ହଟାଇବା ନିମନ୍ତେ କ୍ରିକେଟ ଅଷ୍ଟ୍ରେଲିଆକୁ ପରାମର୍ଶ ଦେଇଛି ।
ଭାରତ ନଭେମ୍ବର ୨୧ ତାରିଖରୁ ଜାନୁଆରୀ ୧୮ ଯାଏଁ ଅଷ୍ଟ୍ରେଲିଆ ବିପକ୍ଷରେ ବହୁ ଫର୍ମାଟରେ ମ୍ୟାଚ ଖେଳିବ । ଏଥିରେ ୩ଟି ଟି ୨୦ , ୪ଟି ଟେଷ୍ଟ ଓ ୩ ଟି ଦିନିକିଆ ଖେଳିବ ବୋଲି ଜଣାପଡିଛି । ତେବେ ଏହି ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଭାରତୀୟ ଖେଳାଳି ମାନଙ୍କ ପାଇଁ ଖାଇବା ମେନୁ ପ୍ରସ୍ତୁତ କରିଛି । ଯେଉଁଥରେ ଗୋମାଂସ ମଧ୍ୟ ସାମିଲ ଅଛି । ତେବେ ଭାରତର ଏକ ନିରୀକ୍ଷଣ ଟିମ ଏହାକୁ ବାଦ ଦେବାଲାଗି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡକୁ କହିଥିବା ଜଣାପଡିଛି ।
ନିକଟରେ ଇଂଲଣ୍ଡ ଗ୍ରସ୍ତରେ ଯାଇଥିବା ଭାରତୀୟ ଦଳର ମଧ୍ୟାହ୍ନ ଭୋଜନର ଏକ ଫୋଟୋ ବିସିସିଆଇର ଟ୍ୱିଟରରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ‘ବ୍ରେଜ୍ଡ୍ ବିଫ୍ ପାସ୍ତା’ ସ୍ଥାନ ପାଇବାକୁ ନେଇ ବିବାଦ ହୋଇଥିଲା। ଏହାକୁ ନେଇ କ୍ରିକେଟ ପ୍ରେମୀ ତୁମ୍ଭିତୋଫାନ କରିଥିଲେ । ଖାଦ୍ୟରେ ଗୋମାଂସ ସାମିଲ ହେବା ଯୋଗୁ ଭାରତ ସିରିଜ ହାରିଥିବା ମଧ୍ୟ କେତେକ କ୍ରିକେଟ ପ୍ରେମୀ କହିଥିଲେ । ତେବେ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଖୁସୀ କରାଇବାକୁ ଯାଇ ବିସିସିଆଇ ଏପରି ନିଷ୍ପତି ନେଇଥିବା କୁହାଯାଉଛି ।