ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଦେଶର ସମ୍ମାନଜନକ ପୁରଷ୍କାର ଅର୍ଜୁନ ପୁରଷ୍କର ପାଇଁ ୪ଜଣ ଖେଳାଳିଙ୍କ ନାମ ଚୟନ କରିଛି ବିସିସିଆଇ । ତେବେ ଏହି ଚାରିଜଣଙ୍କ ମଧ୍ୟରୁ ୩ଜଣ ପୁରୁଷ ଦଳର ଖେଳାଳି ରହିଥିବା ବେଳେ ଜଣେ ମହିଳା ଦଳର ଖେଳାଳି ରହିଛନ୍ତି । ଏହି ୪ଜଣ ଖେଳାଳି ହେଲେ ଦ୍ରୃତ ବୋଲର ଜଶପ୍ରିତ ବୁମରା,ମହମ୍ମଦ ସାମି,ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ମହିଳା ଦଳର ଦକ୍ଷ ବୋଲର ପୁନମ ଯାଜବ । ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ବିସିସିଆଇ ପ୍ରଶାସନିକ କମିଟି(ସିଓଏ)ର ସଦସ୍ୟମାନେ ବୈଠକ କରି ଏଭଳି ନିଷ୍ପତ୍ତି ନେଇଛନ୍ତି।
ବିଶ୍ୱକପ ଦଳରେ ବୁମାରା,ସାମି ଏବଂ ଜାଡେଜା ସାମିଲ ହୋଇଛନ୍ତି । ଏମାନେ ନିୟମିତ ଭାରତୀୟ ଦଳରେ ମଧ୍ୟ ଖେଳି ଆସୁଛନ୍ତି । ଏବେ ଆଇପିଏଲରେ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ଏହି ତିନି ଖେଳାଳି କ୍ରିକେଟର ତିନୋଟିଯାକ ଫର୍ମାଟରେ ମଧ୍ୟ ଖେଳୁଛନ୍ତି । ତେବେ ବୁମରା ଭାରତ ପାଇଁ ଭାରତ ପାଇଁ ୧୦ଟି ଟେଷ୍ଟ ମ୍ୟାଚ ଖେଳି ୪୯ଟି ୱିକେଟ ଅକ୍ତିଆର କରିଥିବା ବେଳେ ଦିନିକିଆରେ ୪୯ ମ୍ୟାଚରୁ ୮୫ ୱିକେଟ ନେଇଛନ୍ତି । ଟି-୨୦ରେ ୪୨ ମ୍ୟାଚରେ ୫୧ ୱିକେଟ ଅକ୍ତିଆର କରିଛନ୍ତି । ଅନ୍ୟପକ୍ଷରେ ୨୫ ବର୍ଷୀୟ ପୁନମ ଭାରତ ପାଇଁ ୪୧ଟି ଦିନିକିଆରେ ୬୩ଟି ୱିକେଟ୍ ନେଇଥିବା ବେଳେ ୫୪ ଟି-୨୦ ମ୍ୟାଚ୍ରେ ୭୪ଟି ୱିକେଟ ଦଖଲ କରିଛନ୍ତି।
ସାମି ୪୦ ଟେଷ୍ଟରୁ ୧୪୪ ୱିକେଟ,ଦିନିକିଆରେ ୬୩ ମ୍ୟାଚରୁ ୧୧୩ ୱିକେଟ ଏବଂ ଟି-୨୦ରେ ୭ଟି ମ୍ୟାଚରୁ ମାତ୍ର ୮ ୱିକେଟ ଅକ୍ତିଆର କରିଛନ୍ତି । ବାମହାତୀ ଅଲରାଉଣ୍ଡର ଜାଡେଜା ମଧ୍ୟ ଭାରତ ପାଇଁ ଖେଳି ସୁନାମ ଅର୍ଜନ କରିଛନ୍ତି ସେ ୪୧ ଟେଷ୍ଟରୁ ୧୪୮୫ ରନ ଏବଂ ୧୯୨ ୱିକେଟ ଅକ୍ତିଆର କରିଛନ୍ତି । ଦିନିକିଆରେ ୧୫୧ ମ୍ୟାଚରୁ ୨୦୩୫ ରନ ସାଙ୍ଗକୁ ୧୭୪ ୱିକେଟ ନେଇଛନ୍ତି । ଟି-୨୦ରେ ୪୦ ମ୍ୟାଚ ୧୧୬ ରନ ସାଙ୍ଗକୁ ୩୧ ୱିକେଟ ଅକ୍ତିଆର କରିଛନ୍ତି ।