ହାମିଲଟନ (ଏଟିଆର ବୁରୋ); ରବିବାର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ଟି-୨୦ ମ୍ୟାଚ ଖେଳାଯିବ । ଏହି ମ୍ୟାଚଟି ନିର୍ଣ୍ଣାୟକ ମ୍ୟାଚ । ୩ଟି ଟି-୨୦ ମ୍ୟାଚ ବିଶିଷ୍ଠ ସିରିଜରେ ୧-୧ରେ ବରାବର ରହିଛି । ଏଣୁ ଆଜି ଯେଉଁ ଦଳ ଜିତିବ ସେ ଟି-୨୦ ସିରିଜ ନିଜ ନାଁରେ କରିବ । ଘରୋଇ ମାଟିରେ ଜିତିବା ପାଇଁ ଜୋରସୋର ପ୍ରୟାସ କରିବା ପାଇଁ ଚେଷ୍ଠା କରିବ ନ୍ୟୁଜିଲାଣ୍ଡ । ଦିନିକିଆ ସିରିଜ ହାରିବା ପରେ ପ୍ରତିଶୋଧ ନେବା ଲକ୍ଷରେ ପଡିଆକୁ ଓହ୍ଲାଇବ କ୍ୟୁଇ ଦଳ । ସେପଟେ ଘରୋଇ ମାଟିରେ ଦିନିକିଆ ହରାଇବା ପରେ ଟି-୨୦ ସିରିଜ ମଧ୍ୟ ହରାଇବା ଲକ୍ଷରେ ରହିଛି ଟିମ ଇଣ୍ଡିଆ । ଉଭୟ ଦଳର ଖେଳାଳିମାନେ ଫର୍ମରେ ଥିବାରୁ ଆଜିର ମ୍ୟାଚରେ କଡା ଟକ୍କର ହେବ ବୋଲି ଆଶା କରିଛନ୍ତି କ୍ରିକେଟ ପ୍ରେମୀ ।
ପ୍ରଥମ ଟି-୨୦ଟି ନ୍ୟୁଜିଲାଣ୍ଡ ଅତି ସହଜ ଭାବରେ ଜିତିଥିଲା । ଭାରତର ବ୍ୟାଟିଂ ବିପର୍ଯ୍ୟୟ ହେବା ପରେ ୮୦ ରନରେ ଜିତିଥିଲା ଘରୋଇ ଦଳ । ସେପଟେ ପ୍ରଥମ ମ୍ୟାଚ ହାରିବା ପରେ ଦ୍ୱିତୀୟ ମ୍ୟାଚରେ ବ୍ୟାଟିଂ ସଜାଡି ପୁନର୍ବାର ଶୃଙ୍ଖଳାକୁ ଫେରିଥିଲା ଭାରତ । ଦଳର କାମଚଳା ଅଧିନାୟକଙ୍କ ଅର୍ଦ୍ଧଶତକ ଏବଂ କୁନାଲ ପାଣ୍ଡ୍ୟାଙ୍କ ୩ ୱିକେଟ ବଳରେ ଭାରତ ଜିତିବାରେ ସକ୍ଷମ ହୋଇଥିଲା । ତେବେ ଟିମ୍ ଇଣ୍ଡିଆ ପାଖରେ ଏକ ନୂଆ ଇତିହାସ ରଚିବାର ସୁଯୋଗ ରହିଛି । ଯଦି ଭାରତ ଶେଷ ଟି-୨୦ ମ୍ୟାଚରେ ବିଜୟୀ ହୁଏ, ତେବେ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଥର ପାଇଁ କୌଣସି ଦ୍ୱିପାକ୍ଷିକ ଟି-୨୦ ସିରିଜ ଜିତିବ। ଏହି ହାଇଭୋଲ୍ଟଟେଜ୍ ମ୍ୟାଚ ହାମିଲଟନର ସେଡାନ୍ ପାର୍କରେ ଖେଳାଯିବ । ଏହି ମ୍ୟାଚ ଭାରତୀୟ ସମୟ ଅନୁଯାୟୀ, ୧୨.୩୦ ମିନିଟରେ ଆରମ୍ଭ ହେବ ଓ ୧୨ଟା ସମୟରେ ଟସ୍ ପଡିବ ।
ସମ୍ଭାବ୍ୟ ଭାରତୀୟ ଦଳ – ରୋହିତ ଶର୍ମା (ଅଧିନାୟକ), ଶିଖର ଧୱନ, ଋଷଭ ପନ୍ଥ, ଦିନେଶ କାର୍ତ୍ତିକ,ମହେନ୍ଦ୍ର ସିଂହ ଧୋନୀ (ୱିକେଟରକ୍ଷକ), କ୍ରୁନାଲ୍ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ, ଖଲିଲ ଅହମ୍ମଦ, ଶୁଭମାନ ଗିଲ୍, ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସିରାଜ୍ ।