କୋଲକାତା (ଏଟିଆର ବ୍ୟୁରୋ); ବିଜୟରୁ ଖେଳ ଆରମ୍ଭ କଲା କେକେଆର । ନୀତୀଶ ରାଣା ଓ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସ (କେକେଆର) ରବିବାର ଖେଳାଯାଇଥିବା ଆଇପିଏଲର ଦ୍ୱିତୀୟ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ପରାସ୍ତ କରିଛି।ପ୍ରଥମ ଇନିଂସରେ ଡାଭିଡ ଓ୍ଵାର୍ଣ୍ଣର ବିସ୍ଫୋରକ ଅର୍ଦ୍ଧଶତକ (୮୫ ରନ୍, ୫୩ ବଲ୍, ୯ ଚୌକା ଓ ୩ ଛକା) ହାସଲ କରିଥିଲେ। ଦୁଇ ବର୍ଷ ପରେ କ୍ରିକେଟକୁ ଫେରି ଓ୍ଵାର୍ଣ୍ଣର ଭଲ ଫର୍ମରେ ବ୍ୟାଟିଂ କରିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ସନ୍ରାଇଜସ ହାଇଦ୍ରାବାଦ୍ ବ୍ୟାଟିଂ କରିଥିଲା। ଦ୍ୱାଦଶ ସଂସ୍କରଣ ଦ୍ୱିତୀୟ ମ୍ୟାଚ୍ରେ ହାଇଦ୍ରାବାଦ୍ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ୍ ହରାଇ ୧୮୧ ରନ୍ କରିବା ପରେ କୋଲକାତାକୁ ୧୮୨ ରନ୍ ଟାର୍ଗେଟ ମିଳିଥିଲା।
କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ପୀୟୁଷ ଚାଓ୍ଵଲା ଗୋଟିଏ ଓ୍ଵିକେଟ୍ ନେଇଛନ୍ତି। ହାଇଦ୍ରାବାଦ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ସ୍କୋର ୧୧୮ ରନ୍ରେ ପ୍ରଥମ ଓ୍ଵିକେଟ୍ ଭାବରେ ଜନି ବେୟାରଷ୍ଟୋଙ୍କୁ ହରାଇଥିଲା। ଡାଭିଡ ଓ୍ଵାର୍ଣ୍ଣର ଆଉଟ୍ ହେବା ବେଳକୁ ସ୍କୋର ୧୪୪ ରନ୍ ଥିଲା। ସେହିପରି ୧୫୨ ରନ୍ରେ ହାଇଦ୍ରାବାଦ ୩ୟ ଓ୍ଵିକେଟ ଭାବରେ ୟୁସୁଫ ପଠାନଙ୍କୁ ହରାଇଥିଲା।
୧୮୨ ରନର ବିଜୟଲକ୍ଷ୍ୟର ପିଛା କରୁଥିବା କେକେଆରକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଓପ୍ନର କ୍ରିସ ଲିନ ମାତ୍ର ୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ନୀତୀଶ ଓ ରବିନ ଉଥାପ୍ପା ଦ୍ୱିତୀୟ ୱିକେଟ ପାଇଁ ୮୦ ରନର ଭାଗୀଦାରୀ କରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଉଥାପ୍ପା ୩୫ (୨୭ ବଲ, ୩ ଚୌକା, ୧ ଛକା) ରନ୍ କରି ସିଦ୍ଧାର୍ଥ କୌଲଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ।ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଧିନାୟକ ଦିନେଶ କାର୍ତ୍ତିକ ମାତ୍ର ୨ ରନ୍ କରି ଆଉଟ ହୋଇଥିଲେ। ନୀତୀଶ ଅର୍ଦ୍ଧଶତକ ମାରିବା ପରେ ଦ୍ରୁତ ରନ୍ କରିବା ଚେଷ୍ଟାରେ ଆଉଟ ହୋଇଯାଇଥିଲେ। ତାଙ୍କୁ ରଶିଦ୍ ଖାନ୍ ଏଲବିଡବ୍ଲ୍ୟୁ ଆଉଟ କରିଥିଲେ। ଏହା ପରେ ରସେଲ ଓ ଗିଲ ଦଳକୁ ଆଉ କ୍ଷତି ହେବାକୁ ଦେଇନଥିଲେ। ଦୁହେଁ ପଞ୍ଚମ ୱିକେଟ ପାଇଁ ଅପରାଜିତ ୬୫ ରନ୍ ଯୋଡ଼ି କେକେଆରକୁ ବିଜୟୀ କରାଇଥିଲେ। ସନରାଇଜର୍ସ ପକ୍ଷରୁ ସାକିବ ଅଲ ହାସନ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ ଓ ରଶିଦ୍ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।